
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ କୃଷି ବିଭାଗ କଲୋନୀରେ ଥିବା ବିରାଟ ଆମ୍ବଗଛ ଉପୁଡି ପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର Od-12b-6968 କ୍ଷତି ଗ୍ରସ୍ତ ହୋଇଛି l ଗଛପଡି ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ଗୁରୁବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି l ସେହିପରି ନୂଆଁସାହି ଭିତରେ ରହୁଥିବା ଗରିବ ବାଉଁଶ କାରିଗର ଦୁଇଜଣ ଯଥା ଜିତେନ୍ଦ୍ର ପରିଛା ଓ ପ୍ରକାଶ ପରିଛାଙ୍କ ଘର ପ୍ରବଳ ବର୍ଷା ରେ କାନ୍ଥ ଭୁଶୁଡି ପଡିଛି।ଫଳରେ ବର୍ଷା ପାଣି ଘରେ ପଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ସାହାଯ୍ୟ ପାଇଁ ଅପେକ୍ଷା ରେ ଅଛନ୍ତି। ସେପରି ପ୍ରବଳ ବର୍ଷlରେ ଡ୍ରେନ ଅବରୋଧ ଫଳରେ ବଜାର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମା ହୋଇ ରହିଥିବାର ଦେଖିବାକୁ ମିଳିଛି l ସେହିପରି ଭଂଜସାହିରେ ଗୁରୁବାର ରାତ୍ରରେ ଗଛଡାଳ ବିଦ୍ୟୁତ ତାର ଉପରେ ଛିଣ୍ଡି ପଡିଥିବାର ଦେଖିବାକୁ ମିଳିଥିଲା।ସକାଳୁ ସକାଳୁ ସାମ୍ବାଦିକ ଅଜିତ ମହାରଣା ଓ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ବିଦ୍ୟୁତ ବିଭାଗ ସହ ଯୋଗା ଯୋଗ କରିବା ପରେ ଛିଣ୍ଡି ପଡିଥିବା ଡାଳ ହଟାଯାଇ ବିଦ୍ୟୁତ ସରବରାହ ଠିକ ହୋଇ ପାରିଥିଲା। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବା ଫଳରେ ନଦୀ ନାଳରେ ବନ୍ୟାଜଳ ଆସିବା ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ ବିଚ୍ଛିନ୍ନ ହୋଇପଡିଥିବା ଖବର ମିଳିଛି l
