ଦଳର ମୁଖିଆ ବାଛିବା ପାଇଁ କଂଗ୍ରେସ ଭିତରେ ନିର୍ବାଚନ ହେବ

add-all

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳ ଅସ୍ଥାୟୀ ତଥା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଭରସାରେ ଚାଲିଛି। ହେଲେ ଏଯାଏ ଦଳ ତା’ର ସ୍ଥାୟୀ ମୁଖିଆଙ୍କୁ ଚୟନ କରିପାରୁନି। ରାହୁଲ ଗାନ୍ଧି ପୁଣି କମାଣ ସମ୍ଭାଳନ୍ତୁ ବୋଲି ବରିଷ୍ଠ ନେତାମାନେ କହୁଥିଲେ ହେଁ ସେ ଘଟଣା ଉପରୁ ପରଦା ହଟାଉ ନାହାନ୍ତି। ଏସବୁ ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଅଗଷ୍ଟ ୧୦ରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ଆୟୋଗ(ସିଇଏ) ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ସିଇଏ ଦଳର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ୯,୧୦୦ ସଦସ୍ୟଙ୍କ ଭୋଟର ତାଲିକା ପ୍ରସ୍ତୁତ କରି ସାରିଛି। ତେଣୁ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଅଗଷ୍ଟ ୨୧ରୁ ଆରମ୍ଭ କରାଯାଇ ପାରିବ। ସେହିପରି ଅଗଷ୍ଟ ୨୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇପାରିବ ବୋଲି ମିସ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ସୋନିଆ ଗାନ୍ଧି କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନାହାନ୍ତି।
ତେବେ ମିସ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ଖୁବଶୀଘ୍ର ଦଳର ମୁଖିଆ ବାଛିବା ପାଇଁ କଂଗ୍ରେସ ଭିତରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ଦଳର ସ୍ଥାୟୀ ମୁଖିଆ ଏହାପରେ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ବେଳେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ। ହେଲେ ଦଳ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ପଦ ଛାଡ଼ିଥିଲେ ମଧ୍ୟ ଏବେ ତାଙ୍କୁ ପୁଣି ଦାୟିତ୍ୱ ନେବାକୁ ଅନେକ ନେତା କହୁଛନ୍ତି। ହେଲେ ପଦ ଛାଡ଼ିବା ପରେ ପୁଣି ଦାୟିତ୍ୱ ନେବା ମୁଡରେ ରାହୁଲ ଗାନ୍ଧି ନାହାନ୍ତି।
ତଥାପି ରାହୁଲଙ୍କୁ ଦଳର ଅନେକ ବରିଷ୍ଠ ନେତା ଓ ସହଯୋଗୀମାନେ ପଦ ସମ୍ଭାଳିବାକୁ ବୁଝାଇବାରେ ଲାଗିଛନ୍ତି। ପ୍ରାଥମିକ ଅବସ୍ଥାରେ ରାହୁଲ ଗାନ୍ଧି କିଛି ବୁଝିବା ଅବସ୍ଥାରେ ନଥିଲେ। ହେଲେ ୨୦୧୯ ପରଠାରୁ ଦଳର ପ୍ରଦର୍ଶନ ଦିନକୁ ଦିନ ତଳକୁ ଯାଉଛି। ଦଳ ଗୋଟିଏ ରାଜ୍ୟରେ ନିର୍ବାଚନ ଜିତିବାକୁ ସକ୍ଷମ ମଧ୍ୟ ହୋଇନି। ଏହାକୁ ଦୃଷ୍ଟିରେ ରଖି ରାହୁଲ କମାଣ ସମ୍ଭାଳି ପାରନ୍ତି ବୋଲି ବରିଷ୍ଠ ନେତାମାନଙ୍କ ଆଶା ରଖିଛନ୍ତି। ହେଲେ ରାହୁଲ ଗାନ୍ଧି ସ୍ପଷ୍ଟ ଭାବେ କିଛି ବି କହିନାହାନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ପ୍ରାୟ ୨୦ ମାସ ଥିବାରୁ କଂଗ୍ରେସ ଏବେଠାରୁ ହିଁ ସେଥିପାଇଁ ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ରାହୁଲ ତୁରନ୍ତ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି।
କିନ୍ତୁ ରାହୁଲ ଗାନ୍ଧି ଯଦି ରାଜି ନ ହୁଅନ୍ତି, ତା’ହେଲେ ସୋନିଆ ଗାନ୍ଧି ଏହି ପଦରେ କାମ କରିବେ ନଚେତ କୌଣସି ବରିଷ୍ଠ ନେତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ କରାଯାଇ ପାରେ। ଏଥିପାଇଁ ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥଙ୍କ ସହ ଏ ବିଷୟରେ କିଛି ବରିଷ୍ଠ ନେତା କଥା ହୋଇଥିଲେ। ଏପରି କି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ମଧ୍ୟ କମଲନାଥଙ୍କୁ ଭେଟି ଅଧ୍ୟକ୍ଷ ପଦ ନିର୍ବାଚନ ଲଖିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ଅଧ୍ୟକ୍ଷ ହେବାକୁ ରାଜି ନାହାନ୍ତି। ରାଜ୍ୟରେ ସେ ୪ ବର୍ଷ କାମ କରିବା ପରେ ପୁଣି ଜାତୀୟ ସ୍ତରକୁ ଯିବାକୁ ଚାହୁଁ ନଥିବା ଜଣାପଡ଼ିଛି।
କମଲନାଥ ଦଳର ବରିଷ୍ଠ ନେତା ସହ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା। ତାଙ୍କୁ ଦଳର ଅନ୍ୟ ନେତାମାନେ ମଧ୍ୟ ସମ୍ମାନ କରନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ହେବା ପାଇଁ କୁହାଯାଇଛି। ଯଦି ଗାନ୍ଧି ପରିବାରର ବାହାରୁ କେହି ଅଧ୍ୟକ୍ଷ ହେବେ, ତା’ହେଲେ ଜଣେ ବରିଷ୍ଠ ଦଳିତ ନେତାଙ୍କୁ ଚୟନ କରାଯିବା ସପକ୍ଷରେ ମଧ୍ୟ ବରିଷ୍ଠ ନେତାମାନେ ଅଛନ୍ତି।
ଅଧ୍ୟକ୍ଷ ପଦ ଦୌଡ଼ରେ ସୁଶୀଲ କୁମାର ସିନ୍ଦେ, ମଲ୍ଲିକାର୍ଜୁନ ଖାଡଗେ, ମୁକଲ ୱାସନିକ, ପୂର୍ବତନ ବାଚସ୍ପତି ମୀରା କୁମାରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଜୟରାମ ରମେଶ ପ୍ରମୁଖଙ୍କ ନାଁ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ୱାଧୀନତା ଦିବସରେ ବରିଷ୍ଠ ନେତ୍ରୀ ଅମ୍ବିକା ସୋନି କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ତେଣୁ ଅଧ୍ୟକ୍ଷ ଦୌଡ଼ରେ ତାଙ୍କ ନାଁ ମଧ୍ୟ ରହିଛି। ସେ ଯାହା ବି ହେଉ, ଦଳର ନେତା ଓ କର୍ମୀମାନେ ଯଥାଶୀଘ୍ର ଜଣଙ୍କୁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି।

ad-week
Leave A Reply

Your email address will not be published.