କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ

add-all

ଭୁବନେଶ୍ୱର: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କୁ ନେଇ ହେଉଥିବା ଏହି ଲିଗ୍‌ର ଏକ ପର୍ଯ୍ୟାୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

କଟକରେ ମ୍ୟାଚଗୁଡ଼ିକ ସେପ୍ଟେମ୍ବର ୨୭ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍‌ର ପ୍ରଥମ ପର୍ଯ୍ୟାୟ କୋଲକାତାରୁ ଆରମ୍ଭ ହେବ। ଏହା ଇଡେନ ଗାର୍ଡେନ୍ସରେ ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ଖେଳାଯିବ। ଏହା ମଧ୍ୟରେ ଏକ ସ୍ବତନ୍ତ୍ର ମ୍ୟାଚ ମଧ୍ୟ ସାମିଲ ରହିବ।

ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମ୍ୟାଚ ଇଣ୍ଡିଆନ ମହାରାଜାସ ଓ ଓ୍ବାଲର୍‌ଡ ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ। ପ୍ରତିଯୋଗିତାର ଅନ୍ୟତମ ଦଳ ହେଉଛି ଏସିଆ ଲାୟନ୍ସ। କୋଲକାତା, ନୂଆଦିଲ୍ଲୀ ଓ କଟକରେ ୩ଟି ଲେଖାଏ ଏବଂ ଲକ୍ଷ୍ନୌ ଓ ଯୋଧପୁରରେ ୨ଟି ଲେଖାଏ ମ୍ୟାଚ ଖେଳାଯିବାର ଯୋଜନା ରହିଛି। ଲକ୍ଷ୍ନୌରେ ସେପ୍ଟେମ୍ବର ୨୧ ଓ ୨୨, ନୂଆଦିଲ୍ଲୀରେ ୨୪ରୁ ୨୬, ଯୋଧପୁରରେ ଅକ୍ଟୋବର ୧ ଓ ୩ରେ ମ୍ୟାଚ ଖେଳାଯିବ।

ଅକ୍ଟୋବର ୫ ଓ ୭ରେ ପ୍ଲେ-ଅଫ୍‌ ଏବଂ ୮ରେ ଫାଇନାଲ ଖେଳାଯିବାକୁ ଥିଲେ ହେଁ ଏହାର ଭେନ୍ୟୁ ନିର୍ଦ୍ଧାରଣ ହୋଇନାହିଁ। ଟି୨୦ ଫର୍ମାଟରେ ଏହି ଲିଗ୍‌ରେ ମୋଟ ୧୫ଟି ମ୍ୟାଚ ଅନୁଷ୍ଠିତ ହେବ। ଆଗାମୀ ସିଜନରେ ପାକିସ୍ତାନର କୌଣସି ଖେଳାଳି ଖେଳିବେ ନାହିଁ। ଏଥିରେ ଭାରତର ଅଧିକାଂଶ ଲିଜେଣ୍ଡ୍ସ ଖେଳିବେ। ଅଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଆଣିବାକୁ ଯୋଜନା କରାଯାଉଛି। ଲିଗ୍‌ର ଫାଇନାଲ ଡେରାଡୁନ୍‌ରେ ହେବା ସମ୍ଭାବନା ଅଛି।

ad-week
Leave A Reply

Your email address will not be published.