ସ୍କୁଲରେ ତାଲା ପକାଇବା ପରେ ଜିଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଗଲେ ଛାତ୍ରଛାତ୍ରୀ

add-all

‍‍‍ବାରିପଦା: ଶିକ୍ଷକ ନାହାନ୍ତି। ତେଣୁ ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି। ଏଭଳି ଦାବି ନେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଦାବି ଉପରେ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ନ ଦେବାରୁ ସେମାନେ ଚାଲିଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ।

ହେଲେ ବାଟ ସେମାନଙ୍କୁ ଓଗାଳିଛି ପୁଲିସ। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏହି ସ୍କୁଲରେ ପ୍ରାୟ ୨୦୦ ପିଲା ପାଠପଢ଼ୁଛନ୍ତି। ସେମାନଙ୍କୁ ଏଠାରେ ପାଠପଢ଼ିବାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହା ଭିତରେ ଶିକ୍ଷକ ଅଭାବ ଜନିତ ପାଠପଢ଼ା ବାଧାପ୍ରାପ୍ତ ହେବା ମୁଖ୍ୟ ପ୍ରସଙ୍ଗ। ଯାହାକୁ ନେଇ ଆଜି ଛାତ୍ର ଅସନ୍ତୋଷ ସୀମା ଟପିଥିଲା। ପ୍ରଧାନଶିକ୍ଷକ ନିଜ ସମ୍ପର୍କୀୟମାନଙ୍କୁ ସ୍କୁଲରେ ଠିକା ଶିକ୍ଷକଭାବେ ନିଯୁକ୍ତି ଦେଇଥିବା, ସ୍ଥାୟୀ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବାଧା ଉପୁଜିଥିବା ଏବଂ ଅନ୍ତେବାସୀଙ୍କୁ ଭଲ ଖାଦ୍ୟ ଦିଆଯାଉ ନ ଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ଆସୁଥିଲେ।

ଯାହାକୁ ନେଇ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରୁଥିଲି। ଖବର ପାଇ ଜିଲା ଶିକ୍ଷା ବିଭାଗର ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ଫେଲ ମାରିଥିଲେ। ୫୦ରୁ ଅଧିକ ଛାତ୍ରଛାତ୍ରୀମାନେ ପରେ ସ୍କୁଲରୁ ବାହାରି ୪୦ କିଲୋମିଟର ଦୂର ଜିଲାପାଳ ଅଫିସରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲିଚାଲି ବାହାରି ଯାଇଥିଲେ। ବାଟରେ ସେମାନଙ୍କୁ ପୁଲିସ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ରୋକି ବୁଝାଇବାକୁ ଚେଷ୍ଟା କରିବା ବେଳେ ପରିସ୍ଥିତି ଉତ୍ତେଜନାର ରୂପ ନେଇଥିଲା। ପରେ ବିଡ଼ିଓ ପହଞ୍ଚି ବୁଝାଇବା ପରେ ସମସ୍ତେ ସ୍କୁଲ ଠାରୁ ୪ କିଲୋମିଟର ଦୂର ବିଡ଼ିଓ ଅଫିସ୍‌କୁ ଯାଇଥିଲେ। ସେଠାରେ ସେମାନଙ୍କ ଅଭିଯୋଗକୁ ସିଧାସଳଖ ଜିଲ୍ଲାପାଳ ଭିସି ଜରିଆରେ ସମାଧାନ କରିବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.