ଘର ପ୍ଲାନ କରାଇବା ଆଳରେ ଦୁଷ୍କର୍ମ, ୮ ମାସ ପରେ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ୱର: ଘର ପ୍ଲାନ ଦେବା ନାଁରେ ଦୁଷ୍କର୍ମ। ଗିରଫ ହୋଇଛନ୍ତି ପ୍ଲାନ ଦେଉଥିବା ସରକାରୀ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଫିଲଡ ଅଫିସର । ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଏ ନେଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ପାଖାପାଖି ୮ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମନୋରଞ୍ଜନ ବିଡିଏ କାର୍ଯ୍ୟାଳୟରେ ଥିବା ବେଳେ ପୋଲିସ ଏହି ଗିରଫ କରିଛି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଫିଲଡ଼ ଇନ୍ସପେକ୍ଟରଙ୍କ ଘରେ ବାରମ୍ବାର ପୋଲିସ ଚଢ଼ାଓ କରିଥିଲା । ହେଲେ ସେ ଖସିଯିବାରେ ସଫଳ ହୋଇଥିଲେ। ତେବେ କୌଣସି ସମୟରେ ଗିରଫ ହେବା ଭୟରେ ମନୋରଞ୍ଜନ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। କିିନ୍ତୁ କୋର୍ଟ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ତଳ କୋର୍ଟରେ ୪ ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଏଡାଇ ଚାଲିଥିଲେ ମନୋରଞ୍ଜନ। ତେଣୁ କୋର୍ଟ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ୮ ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ ଏବେ ଅଭିଯୁକ୍ତକୁ କୋର୍ଟ ଚାଲାଣି କରି ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ଏହାପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ରହିଛି। ଗିରଫ ହେବା ପରେ ଅଭିଯୁକ୍ତ ଘଟଣା ବାବଦରେ କୌଣସି ମୁହଁ ଖୋଲିନଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.