
ବୁଗୁଡ଼ା (୧୩/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଡିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ କାର ଲୁଟି ନେବା ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି l ଗତକାଲି ରାତି ପ୍ରାୟ ୯ ଟା ସମୟରେ ଭୁବନେଶ୍ୱରରୁ ବାଲିପଦର ଯାଉଥିବା ଏକ ଘରୋଇ ବସରେ ଏମାନେ ଆସୁଥିବା ଖବର ପାଇ ବୁଗୁଡ଼ା ପୋଲିସ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବା ସହ ୩ ଜଣ ସନ୍ଧିଗ୍ଧଙ୍କୁ ଧରି ଥିବା ସୂଚନା ମିଳିଛି l ପୋଲିସ ସେମାନଙ୍କ ନାମ ଗୋପନ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫୁଲବାଣୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡିଛି l ପୋଲିସ ଏନେଇ କେସ ନଂ ୫୨୧ /୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି l ପ୍ରକାଶ ଥାଉକି ନୟାଗଡ଼ ଥାନା ଆନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ଗ୍ରାମର କାର ଚାଳକ ନରୋତ୍ତମ ନାୟକ ନିଜ ଇଣ୍ଡିଗୋ କାର( ଓଆର- ୨୫ସି ୨୭ ୪୪) କୁ ରଖି ନୟାଗଡ ବସଷ୍ଟାଣ୍ଡ ନିକଟରେ ଥିବା ବେଳେ ୪ ଜଣ ଦୁର୍ବୁତ୍ତ ସକାଳ ସମୟରେ ବ୍ରହ୍ମପୁର ଯିବା ପାଇଁ ଭଡାରେ ନେଇ ଆସୁଥିଲେ । ରାସ୍ତାରେ କୋମଣ୍ଡ ଠାରେ ସେମାନେ ମଦ୍ୟପାନ କରିଥିଲେ l ସେଠାରୁ ଆସୁଥିବା ବେଳେ ପ୍ରାୟ ଦିନ ୧୧ଟା ସମୟରେ କରଚୁଲି ନିକଟରେ ଜଣେ ବାନ୍ତି କରିବାରୁ ଡ୍ରାଇଭର ଗାଡିକୁ ସାଇଡ କରି ରଖିବା ସହ ପାଣି ବୋତଲ ମଧ୍ୟ ବଢ଼ାଇ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୁତ୍ତ ହଠାତ ଏକ ବନ୍ଧୁକ ବାହାର କରି ନରୋତ୍ତମଙ୍କ ମୁଣ୍ଡରେ ଲଗାଇ ଗାଡି ଚାବି ଛଡାଇ ନେଇଥିଲେ ଏବଂ ତାଙ୍କର ମୋବାଇଲ ଛଡାଇ ନେବାକୁ ଉଦ୍ୟମ କଲା ବେଳେ ସେ ପ୍ରାଣ ଭୟରେ ଦୌଡ଼ି ପଳାଇଥିଲେ ।ଏ ନେଇ ପୋଲିସ ହେଲ୍ପ ଲାଇନ ୧୧୨କୁ ଜଣାଇବା ପରେ ପୋଲିସ ତୁରନ୍ତ କରଚୁଲି ଆଡକୁ ଯାଉଥିବା ବେଳେ ପୋଲିସ ଗାଡିକୁ ଦେଖି କରଡ଼ାବାଡ଼ି ପରେ ଦଦରାଖୋଲ କେନାଲ ରାସ୍ତାରେ ଗାଡି ଛାଡି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥିଲେ । ବୁଗୁଡ଼ା ପୋଲିସ ଉକ୍ତ ଗାଡିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୋଲିସ ଜାଲ ବିଛାଇ ଛକି ରହିଥିଲେ l ସେମାନେ ରାତି ୯ ଟାରେ ଖସି ଯିବାକୁ ଉଦ୍ୟମ କଲା ବେଳେ ପୋଲିସ ସେମାନଙ୍କୁ ଧରିଥିଲା।