
ଗୋପାଳପୁର (୧୭/୦୯) : ଆଜି ଆନ୍ତର୍ଜାତିକ ତଟ ପରିମଳ ଦିବସ ଉପଲକ୍ଷେ କେନ୍ଦ୍ର ସରକାର ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମାନ୍ୟବର କୁଳପତି ଶ୍ରୀମତୀ ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତଟ ସଫେଇ କାର୍ଯ୍ୟକ୍ରମ କୁ ଲୋକାର୍ପଣ କରିଥିଲେ ।
ନିଜ ବକ୍ତବ୍ୟରେ କୁଳପତି ସମ୍ପ୍ରତି ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକର ବହୁଳ ବ୍ୟବହାର କିପରି ପରିବେଶକୁ ଦୂଷିତ କରୁଛି, ସଚେତନତା ହିଁ କେବଳ ଏକମାତ୍ର ଉପାୟ ଆଦି ବିଷୟରେ ଗଭୀର ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଡଃ.ପ୍ରତାପ କୁମାର ମହାନ୍ତି, ସ୍ନାତକୋତ୍ତର ମୁଖ୍ୟ ତଥା ସାମୁଦ୍ରିକ ବିଜ୍ଞାନର ବରିଷ୍ଠ ପ୍ରଫେସର ତଟ ପରିମଳ ସମୁଦ୍ର ପ୍ରଦ୍ୟୁଷଣରେ ବିଜ୍ଞାନର ଗବେଷଣା ବିଷୟରେ ଆଲୋଚନା କରିଥିଲେ ଏବଂ ବିଶ୍ଵବିଦ୍ୟାଳୟର NSS, ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ରୂପେ ରାଷ୍ଟ୍ରୀୟ ତଟିୟ ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକ ଡଃ.ଶିଶିର କୁମାର ଦାଶ ଯୋଗଦାନ କରି ଭାରତ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଆହ୍ବାନ କରିଥିଲେ। ଭାରତୀୟ ତଟ ସୁରକ୍ଷା ବାହିନୀର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ଧନଞ୍ଜୟ ମିଶ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଏଥି ସହ ଭାରତୀୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ବୈଜ୍ଞାନିକ ଡଃ ସୌରଭ ପ୍ଲାଷ୍ଟିକ ନିରାକରଣ ଉପରେ ଗୁରୁତ୍ବ ଆରୋପ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ NSS ସଂଯୋଜକ ଡଃ.ଶକ୍ତି ରଞ୍ଜନ ଦାସ ଏବଂ ଡଃ.ଅଲିତା ମିଞ୍ଜ ତଥା ଗୋପାଳପୁର ମହାବିଦ୍ୟାଳୟର NSS ସଂଯୋଜକ ଶ୍ରୀମତୀ ରୂପା ପାତ୍ର, ସାମୁଦ୍ରିକ ବିଜ୍ଞାନ ଗବେଷକ ଡଃ.ଅସୀମ ଅମିତାଭ ପଟ୍ଟନାୟକ, ଡଃ.ପ୍ରବୀଣ କୁମାର କର, ଡଃ.ମୁକୁନ୍ଦ କେଶରୀ ଖାଡ଼ଙ୍ଗା ଏବଂ ଶ୍ରୀ ଲୋଚନ ପାତ୍ର କାର୍ଯ୍ୟରେ ସହଯୋଗ କରିଥିଲେ ।ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କନିଶି ତହସିଲଦାର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ସଚେତନ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାଲିରେ ପର୍ଯ୍ୟଟକ ସଚେତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ପରେ ତଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ 10869 ବର୍ଗମିଟର କ୍ଷେତ୍ରଫଳ ବିଶିଷ୍ଟ ବେଳାଭୂମିକୁ ସଫେଇ କରି 9 ପ୍ରକାର ଓ 101.2 କିଲୋଗ୍ରାମ ବିଶିଷ୍ଟ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ । ସେଥି ମଧ୍ୟରେ ପ୍ଲାଷ୍ଟିକ କଭର୍, ପ୍ଲାଷ୍ଟିକ ବୋତଲ, ଖାଦ୍ୟ ଥଳି, ଚପଲ, ମଦ କାଚ ବୋତଲ ଇତ୍ୟାଦି ପ୍ରଧାନ ଥିଲା । ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଅଧିକ ପରିମାଣର ବର୍ଯ୍ୟ ବସ୍ତୁ ପାଇଥିବା ଡଃ.ମହାନ୍ତି ଜଣାଇଥିଲେ। 2018, 2019 ଏବଂ 2021 ରେ ବର୍ଜ୍ୟବସ୍ତୁ ପରିମାଣ ଯଥାକ୍ରମେ 1.6 ଗ୍ରାମ/ବର୍ଗମିଟର, 3.6 ଗ୍ରାମ/ବର୍ଗମିଟର ଏବଂ 4.82ଗ୍ରାମ/ବର୍ଗମିଟର ଥିବା ବେଳେ ଏହି ବର୍ଷ ତାହା ବର୍ଦ୍ଧିତ ହୋଇ 9.31 ଗ୍ରାମ/ବର୍ଗମିଟର ହୋଇଛି।