କଂଗ୍ରେସର ଭାରତ ଯୋଡ଼ୋ ପୋଷ୍ଟରରେ ସ୍ଥାନ ପାଇଲେ ସାବରକର

add-all

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ଅଜବ ଘଟଣା ଘଟିଛି। ଯେଉଁ ଭିଡି ସାବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ଖଲାସ ହୋଇଥିବା କଂଗ୍ରେସ ଅଭିଯୋଗ କରୁଥିଲା ଆଜି ତାଙ୍କରି ଫଟୋ ଭାରତ ଯୋଡ଼ୋ ପୋଷ୍ଟରରେ ଦେଖିବାକୁ ମିଳିଛି।
ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ କଂଗ୍ରେସ ପ୍ରିଣ୍ଟିଂରେ ତ୍ରୁଟି ଥିବା କହି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛି। ହେଲେ କଂଗ୍ରେସର ଭାରତ ଯୋଡ଼ୋ ପୋଷ୍ଟର୍‌ରେ ଥିବା ସାବରକରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା ଆଜି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ପହଞ୍ଚିଥିଲା। ଏଠାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପାଇଁ ଗୋଟିଏ ବିରାଟ ପୋଷ୍ଟର ଲାଗିଥିଲା। ପୋଷ୍ଟରରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ସାବରକରଙ୍କ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
କାରଣ କଂଗ୍ରେସ କେବେ ବି ସାବରକରଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ବିଚାରକୁ ନିଏ ନାହିଁ। ଦଳର କହିବା କଥା ଇଂରେଜମାନଙ୍କୁ କ୍ଷମା ମାଗି ସାବରକର ଜେଲରୁ ଖଲାସ ହୋଇଥିଲେ। ଏଥିପାଇଁ ଅନେକ ଥର ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।
ହେଲେ ଏବେ କଂଗ୍ରେସର ଭାରତ ଯୋଡ଼ୋ ପୋଷ୍ଟରରେ ସାବରକରଙ୍କ ଫଟୋ ରହିଥିବା କେରଳ ସ୍ୱାଧୀନ ବିଧାୟକ ପିଭି ଅନୱର ଚିହ୍ନଟ କରିଥିଲେ। ସେ ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ଛେଙ୍ଗମାଣ୍ଡ ଠାରେ କଂଗ୍ରେସ ପକ୍ଷରୁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଥିବା ଗୋଟିଏ ପୋଷ୍ଟର ଲଗାଯାଇଛି।
ଏଥିରେ ସାବରକରଙ୍କ ଫଟୋ ରହିଥିଲା। ଏହା ଜଣାପଡ଼ିବା ପରେ କଂଗ୍ରେସ କର୍ମୀମାନେ ମହାତ୍ମା ଗାନ୍ଧିଙ୍କ ଫଟୋ ଲଗାଇ ଏହାକୁ ଘୋଡ଼ାଇବାକୁ ଚେଷ୍ଟା କରିଥିବା ସେ କହିଛନ୍ତି। ଏହି ଘଟଣା ପରେ କଂଗ୍ରେସ କହିଛି ଯେ ପ୍ରିଣ୍ଟିଂରେ ତ୍ରୁଟି ଯୋଗୁ ଏପରି ଘଟିଛି। ଏହାକୁ ତୁରନ୍ତ ସୁଧାରି ଦିଆଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ad-week
Leave A Reply

Your email address will not be published.