ମୋହନ ଭାଗବତ ଏହି ଦେଶର ‘ରାଷ୍ଟ୍ର ପିତା’ ଏବଂ ‘ରାଷ୍ଟ୍ର-ଋଷି’: ଭେଟିବା ପ‌ରେ କହିଲେ ମୌଲବୀ ଇଲିୟାସି

add-all

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଥିବା ଗୋଟାଏ ମସ୍‌ଜିଦ୍‌କୁ ଯାଇ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଥିଲେ। ବାର୍ତ୍ତାଳାପ ପରେ ଇମାମ୍ ମୁଖ୍ୟ ଉମର୍‌ ଅହମଦ୍‌ ଇଲିୟାସି କହିଛନ୍ତି ଯେ ମୋହନ ଭାଗବତ ହେଉଛନ୍ତି ଏହି ଦେଶର ‘ରାଷ୍ଟ୍ର ପିତା’ ଏବଂ ‘ରାଷ୍ଟ୍ର-ଋଷି’।
‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ କହିଛନ୍ତି ଯେ, ମୋହନ ଭାଗବତଜୀ ଆଜି ମୋ ନିମନ୍ତ୍ରଣରେ ମୋତେ ଭେଟିବାକୁ ଆସିଥିଲେ। ତାଙ୍କର ଏହି ଗସ୍ତ ସମାଜକୁ ଏକ ଭଲ ବାର୍ତ୍ତା ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁ ଏବଂ ମୁସଲମାନମାନଙ୍କର ପୂଜା କରିବାର ଭିନ୍ନ ଉପାୟ ଅଛି କିନ୍ତୁ ଆମ ସମସ୍ତଙ୍କର ଗୋଟିଏ ଧର୍ମ ରହିଛି, ତାହା ହେଉଛି ମାନବିକତାର ଧର୍ମ। ଇମାମ ମୁଖ୍ୟ ମାନବିକତାକୁ ସବୁଠାରୁ ବଡ ଧର୍ମ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ରାଷ୍ଟ୍ରର ସ୍ଥାନ ଧର୍ମଠାରୁ ଅଧିକ।
ଉଲ୍ଲେଖଯୋଗ୍ୟ, ଗୁରୁବାର ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଥିଲେ। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଉଭୟଙ୍କ ସାକ୍ଷାତକୁ ‘କବାଟକୀଳା ବୈଠକ’ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସାମ୍ପ୍ରଦାୟିକ ସହାବସ୍ଥାନ ସୁଦୃଢ଼ କରିବା ନିମନ୍ତେ କିଛି ଦିନ ହେବ ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ଭାଗବତ ଅନେକ ମୁସଲ୍‌ମାନ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରୁଛନ୍ତି। ମଙ୍ଗଳବାର ଦିନ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ୍‌ ଜଙ୍ଗ୍‌ ଏବଂ ପୂର୍ବତନ ନିର୍ବାଚନ କମିସନର୍‌ ଏସ୍‌ୱାଇ କୁରୈଶିଙ୍କ ସମେତ ୫ଜଣ ବିଶିଷ୍ଟ ମୁସଲ୍‌ମାନଙ୍କୁ ଭେଟି ସାମ୍ପ୍ରଦାୟିକ ସଦ୍‌ଭାବ ବିଷୟରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.