ଆଣବିକ ଅସ୍ତ୍ର ପ୍ରୟୋଗ କଲେ ରୁଷ୍‌ ଭୟାବହ ପରିଣାମ ଭୋଗିବ: ଆମେରିକା

add-all

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌ କୌଣସି ଆଣବିକ ଅସ୍ତ୍ର ପ୍ରୟୋଗ କଲେ ଆମେରିକା ନିର୍ଣ୍ଣାୟକ ମୁକାବିଲା କରିବ ଓ ମସ୍କୋ ଭୟାବହ ପରିଣାମ ଭୋଗିବ ବୋଲି ରବିବାର ଦିନ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ କହିଛନ୍ତି।
ଗତ ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ‘ମୋବିଲାଇଜେସନ୍‌’ ଘୋଷଣା କରିବା ଅବସରରେ ଆମେରିକା ପ୍ରତି ଦେଇଥିବା ପରୋକ୍ଷ ଚେତାବନୀର ପ୍ରତ୍ୟୁତ୍ତର ଭାବେ ସୁଲିଭାନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପୁଟିନ୍‌ କହିଥିଲେ ଯେ, ତାଙ୍କ ପାଖରେ ମଧ୍ୟ ଅନେକ ମାରାତ୍ମକ ଅସ୍ତ୍ରଶସ୍ତ୍ର ରହିଛି।
‘ଏନ୍‌ବିସି’ର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ ଜେକ୍‌ ସୁଲିଭାନ୍‌ କହିଛନ୍ତି, ରୁଷ୍‌ ସୀମା ଲଙ୍ଘନ କଲେ, ପ୍ରଳୟଙ୍କର ପରିଣାମ ଭୋଗିବ। ଯୁକ୍ତରାଷ୍ଟ୍ର ଆମେରିକା ଚରମ ନିଷ୍ପତ୍ତି ନେବ।
ଆମେରିକା କେଉଁ ପ୍ରକାରର ମୁକାବିଲା କରିବା ସେ ବିଷୟରେ ସୁଲିଭାନ୍‌ ମନ୍ତବ୍ୟ ନ ଦେଇ କହିଛନ୍ତି ଯେ, ଏହାର ଅର୍ଥ ବିଷୟରେ ବ୍ୟକ୍ତିଗତ ଭାବେ ମସ୍କୋକୁ ସବିସ୍ତାର ବୁଝାଇ ଦିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ପରିସ୍ଥିତି ଏବଂ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କ କାର୍ଯ୍ୟାନୁଷ୍ଠାନ ଓ ଧମକ ବିଷୟରେ ଆଲୋଚନା କରିବା ଲାଗି ଗତ ଅଳ୍ପ କିଛି ଦିନ ହେବ ଆମେରିକା ରୁଷ୍‌ ସହିତ ସବୁ ବେଳେ ପ୍ରତ୍ୟକ୍ଷ ଭାବେ କଥାବାର୍ତ୍ତା କରୁଛି।
ବୁଧବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଦେଇଥିବା ଉଦ୍‌ବୋଧନରେ ଆମେରିକାର ରାଷ୍ଟ୍ରପତି ଜ‌ୋ’ ବାଇଡେନ୍‌ ମଧ୍ୟ ଭ୍ଲାଦିମିର୍‌ ପୁଟିନ୍‌ ୟୁରୋପ୍‌କୁ ଆଣବିକ ଯୁଦ୍ଧ ଧମକ ଦେଉଛନ୍ତି ବୋଲି ଦୋଷାରୋପ କରିଥିଲେ।

ad-week
Leave A Reply

Your email address will not be published.