ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଲା ଭାରତ

add-all

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ବିଜୟୀ ହୋଇଛି। ୧୮୭ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ଗୋଟିଏ ବଲ୍ ପୂର୍ବରୁ ଜିତି ନେଇଥିଲା। ସୂର୍ଯ୍ୟକୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ଅକ୍ଷର ପଟେଲ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ଏହା ପରେ ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ‌ଖେଳିବ।
କଙ୍ଗାରୁ ବୋଲରଙ୍କ ଆଗରେ କୋହଲି (୬୩)ଙ୍କ ବ୍ୟାଟ୍ କମାଲ କଲା। ସୂର୍ଯ୍ୟକୁମାର (୬୯) ବି ତାଙ୍କ ପ୍ରଖର ତେଜ ଦେଖାଇଲେ। ଆଉ ଏହି ଦୁଇ ଜଣଙ୍କ ୧୦୪ ରନ୍‌ର (୬୨ ବଲ୍) ବିସ୍ଫୋରକ ଭାଗୀଦାରି ବଳରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ଭାରତ ୬ ୱିକେଟ୍‌ରେ ଜିତିନେଲା। ତା’ ସହ ତିନି ଟିକିଆ ଶୃଙ୍ଖଳାକୁ ୨-୧ରେ କବ୍‌ଜା କରିନେଲା। ସୂର୍ଯ୍ୟକୁମାର ମ୍ୟାଚ୍‌ ଏବଂ ଅକ୍ଷର ପଟେଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଶୃଙ୍ଖଳାରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଥିଲେ। ଫଳରେ ରବିବାର ତୃତୀୟ ମୁକାବିଲାର ମହତ୍ବ ବହୁଗୁଣ ବଢ଼ି ଯାଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ଦୁଇ ଓପନର କେଏଲ୍ ରାହୁଲ (୧) ଓ ରୋହିତ ଶର୍ମା (୧୭) ୩୦ ରନ୍ ଭିତରେ ପ୍ୟାଭିଲିୟନ ଫେରିଯିବା ପରେ ଅଷ୍ଟ୍ରେଲିଆ ପଲା ପୂରା ଭାରୀ ହୋଇଯାଇଥିଲା। ତେବେ କୋହଲି ଓ ସୂର୍ଯ୍ୟକୁମାର ଏଥିରେ ବିଚଳିତ ନହୋଇ ସାହସିକ କ୍ରିକେଟ୍ ଖେଳି ଭାରତର ପଶ୍ଚାତଧାବନକୁ ବାଟକୁ ଫେରାଇ ଆଣିଥିଲେ। କୋହଲି ୩୩ତମ ଏବଂ ସୂର୍ଯ୍ୟକୁମାର ସପ୍ତମ ଅର୍ଦ୍ଧଶତକ ହାସଲ କରି ଭାରତର ସ୍ଥିତି ମଜବୁତ କରି ନେଇଥିଲେ।
ଏହାପରେ ହାର୍ଦିକ ପାଣ୍ଡ୍ୟା ୧୬ ବଲ୍‌ରୁ ୨୫* ରନ୍‌ର ଦ୍ରୁତ ପାଳି ଖେଳି ଗୋଟିଏ ବଲ୍ ପୂର୍ବରୁ ଭାରତ ବିଜୟକୁ ପକ୍କା କରିନେଇଥିଲେ। ଶେଷ ଓଭରରୁ ଭାରତକୁ ବିଜୟ ପାଇଁ ୧୧ ରନ୍‌ର ଦରକାର ଥିଲା ବେଳେ କୋହଲି ପ୍ରଥମ ବଲ୍‌କୁ ଏକ ବିଶାଳ ଛକା ମାରିଥିଲେ। ତେବେ ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଏହା ପରେ ପାଣ୍ଡ୍ୟା ଅମ୍ଫ ଷ୍ଟମ୍ପ୍‌ର ଯଥେଷ୍ଟ ବାହାରେ ଥିବା ଡାନିଏଲ୍ ସାମ୍ସଙ୍କ ବଲ୍‌କୁ ସର୍ଟ ଥାର୍ଡ ମ୍ୟାନ୍ ବାଉଣ୍ଡରିକୁ ପଠାଇ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ବିରାଟ କୋହଲିଙ୍କୁ ଟପି ରୋହିତ ଶର୍ମା ନିଜ ନେତୃତ୍ବରେ ଭାରତକୁ ଦ୍ବିତୀୟ ସର୍ବାଧିକ (୩୩ ମ୍ୟାଚ୍) ଟ୍ବେଣ୍ଟି-୨୦ ବିଜୟ ଉପହାର ଦେଇଥିଲେ। ଏହି କ୍ରମରେ ‌ମହେନ୍ଦ୍ର ସିଂହ ଧୋନି ୪୨ ମ୍ୟାଚ୍ ଜିତି ପ୍ରଥମ ସ୍ଥାନରେ ରହିଛନ୍ତି। ୨୦୨୧ ମସିହାଠାରୁ ମଧ୍ୟ ପଛୁଆ ବ୍ୟାଟିଂ କରି ଭାରତ ୧୪ ମ୍ୟାଚ୍‌ରୁ ୧୩ଟିରେ ବିଜୟୀ ହେବାର ଗୌରବ ଅର୍ଜନ କରିଥିଲା।

ad-week
Leave A Reply

Your email address will not be published.