
ନୂଆଦିଲ୍ଲୀ: ବିବାଦରେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାରରେ ମନ୍ତ୍ରୀ ଭାବେ କାମ କରୁଥିବା ରାଜେନ୍ଦ୍ର ପାଲ ଗୌତମ। ତାଙ୍କ ଉପସ୍ଥିତିରେ ଆୟୋଜିତ ବୌଦ୍ଧ ଧର୍ମ ମହାସଭାରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଇଥିବା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହାକୁ ଆଧାର କରି ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାର ଜବାବ ଆପ୍ ପକ୍ଷରୁ ନିଜେ ମନ୍ତ୍ରୀ ଗୌତମ ଦେଇଛନ୍ତି। ସାମ୍ନାକୁ ବୌଦ୍ଧ ମହାସଭାରେ ନିଆଯାଉଥିବା ଶପଥର ଭିଡିଓ ଆସିଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୌତମ ଉପସ୍ଥିତ ଥିବା ବେଳେ ହଜାର ହଜାର ଲୋକ ଆଗକୁ ହାତ ବଢ଼ାଇ ଶପଥ ଗ୍ରହଣ କରିଥିଲେ। ସେମାନେ ଗୋଟିଏ ସ୍ୱରରେ ରାମ-କୃଷ୍ଣଙ୍କୁ ଭଗବାନ ମାନିବୁ ନାହିଁ କିମ୍ବା କେବେ ହେଲେ ସେମାନଙ୍କୁ ପୂଜା କରିବୁ ନାହିଁ ବୋଲି କହୁଥିବା ଶୁଣିବାକୁ ଓ ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଆଧାର କରି ବିଜେପି କହିଛି ଯେ ଏପରି କରି ଆପ୍ ମନ୍ତ୍ରୀ ଓ ସରକାର ବୌଦ୍ଧ ଏବଂ ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି। ମନ୍ତ୍ରୀ ଗୌତମ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ କ୍ଷମା ମାଗନ୍ତୁ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କୁ ମନ୍ତ୍ରିମଣ୍ଡଲରୁ ବରଖାସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି।
ରିପୋର୍ଟ ମୁତାବକ, ବୁଧବାର ବିଜୟାଦଶମୀରେ କରେଲବାଗ ସ୍ଥିତ ରାଣୀ ଝାନ୍ସୀ ରୋଡରେ ଥିବା ଆମ୍ବେଦକର ଭବନରେ ରାଜେନ୍ଦ୍ର ପାଲ ଗୌତମଙ୍କ ଉପସ୍ଥିତିରେ ‘ଧାମ ଚକ୍ର ପ୍ରବର୍ତ୍ତନ ଦିନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲୋକମାନେ କେବଳ ବୌଦ୍ଧ ଧର୍ମର ଦୀକ୍ଷା ନେଇ ନଥିଲେ ବରଂ ସେମାନେ ଶପଥ ପାଠ ମଧ୍ୟ କରିଥିଲେ। ଏହି ସମୟରେ ସେମାନେ କହିଥିଲେ ଯେ ସେମାନେ ହିନ୍ଦୁ ଦେବଦେବୀଙ୍କୁ ପୂଜା କରିବେ ନାହିଁ କିମ୍ବା ସେମାନଙ୍କୁ ଭଗବାନ ଭାବେ ବିବେଚନା କରିବେ ନାହିଁ। ଶପଥ ନେଉଥିବା ଲୋକଙ୍କ ପାଖରେ ଆପର ମନ୍ତ୍ରୀ ଗୌତମ ମଧ୍ୟ ଉପସ୍ଥିତ ଥିଲେ। ସେ ମଧ୍ୟ ଶପଥ ପାଠ କରି ଗୋଟିଏ ସ୍ୱରରରେ କହିଛନ୍ତି ଯେ “ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଉପରେ ମୋର ବିଶ୍ୱାସ ନାହିଁ। ସେମାନଙ୍କୁ କେବେ ହେଲେ ପୂଜା କରିବି ନାହିଁ।” ଏହି ଭିଡିଓକୁ ଆଧାର କରି ବିଜେପି ପକ୍ଷରୁ ଆପ୍ ମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି। ଏପରି ଶପଥ ପାଠ କରି ଆପ୍ ହିନ୍ଦୁ ଓ ବୌଦ୍ଧ ଧର୍ମକୁ ଅପମାନିତ କରିଛି।
ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, “ଆପ ମନ୍ତ୍ରୀ କେବଳ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି। ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ। ଆମେ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାଖଲ କରିବୁ।”