ଅଭ୍ୟାସ ବେଳେ ଫାଟିଗଲା ଟ୍ୟାଙ୍କର ବାରେଲ, ୨ ଆର୍ମି ଯବାନ ମୃତ

add-all

ଝାନ୍‌ସୀ: ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ଘଟିଛି ଅଘଟଣ। ଉତ୍ତର ପ୍ରଦେଶର ବବିନା କ୍ୟାଣ୍ଟୋନମେଣ୍ଟରେ ଫିଲ୍ଡିଂ ଫାୟାରିଂର ଅଭ୍ୟାସ ଚାଲିଥିବା ବେଳେ ଗୋଟିଏ ଟି-୯୦ ଟ୍ୟାଙ୍କର ବାରେଲ ଫାଟି ଯାଇଛି। ଏଥିଯୋଗୁ ଭୟଙ୍କର ବିସ୍ଫୋରଣ ହେବାରୁ ୨ ଜଣ ଆର୍ମି ଯବାନଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଜୁନିୟର କମିଶନଡ ଅଫିସର(ଜେସିଓ) ରହିଛନ୍ତି।
ଭାରତୀୟ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଝାନସୀ ନିକଟ ବବିନା କ୍ୟାଣ୍ଟୋମେଣ୍ଟରେ ବାର୍ଷିକ ଫିଲ୍ଡ ଫାୟାରିଂ ଅଭ୍ୟାସ ଚାଲିଥିଲା। ଏହି ସମୟରେ ହଠାତ୍‌ ଗୋଟିଏ ଟି-୯୦ ଟ୍ୟାଙ୍କର ବାରେଲ ଫାଟି ଯାଇଥିଲା। ଟ୍ୟାଙ୍କର ଦାୟିତ୍ୱରେ ୩ ଜଣ ଯବାନ ରହିଥିଲେ।
ବିସ୍ଫୋରଣ ଯୋଗୁ ସମସ୍ତେ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଥିଲା ଓ ବବିନାରେ ଥିବା ମିଲିଟାରୀ ହସ୍ପିଟାଲକୁ ନିଆଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଟ୍ୟାଙ୍କର କମାଣ୍ଡର ଓ ଗନରଙ୍କ ମୃତ୍ୟୁ ହୋଇଯାଇଛି। ଡ୍ରାଇଭର ଏବେ ବିପଦ ମୁକ୍ତ ରହିଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ଘଟଣାର କୋର୍ଟ ଅଫ ଇନକ୍ୱାରୀ ଆରମ୍ଭ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଏଥିସହ ମୃତଙ୍କ ପରିବାର ପାଇଁ ଭାରତୀୟ ସେନା ଶୋକ ମଧ୍ୟ ପ୍ରକାଶ କରିଛି।

ad-week
Leave A Reply

Your email address will not be published.