
ନାଗପୁର : ଶନିବାର ନାଗପୁରଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ସାମ୍ମୁଖ୍ୟ ଦ୍ବାରା ଆହୂତ ‘ଭାରତୀୟ ମୁସଲମାନଙ୍କ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଦେଶଗଠନରେ ଭାରତୀୟ ମୁସଲମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲେ ମଧ୍ୟ ସେମାନେ ବହୁ କ୍ଷେତ୍ରରେ ନ୍ୟାଯ୍ୟ ଭାଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ସହ ବଲିଉଡକୁ ମୁସଲିମଙ୍କ ଯୋଗଦାନ ଅଧିକ ବୋଲି କହିଥିଲେ ଶରଦ ପାୱାର। ତାଙ୍କର ଏଭଳି ବୟାନକୁ ନେଇ ଏବେ ତାଙ୍କୁ ବିଜେପି ଟାର୍ଗେଟ କରିଛି।
ବିଜେପି ମୁଖପାତ୍ର ଶେହାଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ, ବଲିଉଡରେ ଯଦି ମୁସଲିମଙ୍କ ଯୋଗଦାନ ଅଧିକ, ତେବେ ଦାଦାସାହେବ ଫାଲକେ, କିଶୋର କୁମାର, ଲତା ମଙ୍ଗେଶକର, ଆଶା ଭୋସଲେ, ସ୍ମିତା ପାଟିଲ, ମାଧୁରୀ ଦୀକ୍ଷିତଙ୍କର କ’ଣ କୌଣସି ଯୋଗଦାନ ନାହିଁ।
ବିଜେପି ମୁଖପାତ୍ର ଲେଖିଛନ୍ତି ଯେ, “ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ, କିନ୍ତୁ କଳା ଏବଂ ସିନେମାରେ ଧର୍ମ ଥାଏ କି ପାୱାର ସାହେବ? ହେଲେ ଆମେ ଏଭଳି ଏକ ଦଳରୁ କ’ଣ ଆଶା କରିପାରିବା, ଯେଉଁ ଦଳର ମନ୍ତ୍ରୀ ନବାବ ମଲିକ ଡି କମ୍ପାନି ସହ ସମ୍ପର୍କ ରଖି ଜେଲରେ ଅଛନ୍ତି। ପ୍ରଥମେ ସେମାନେ ଦେଶକୁ ହିନ୍ଦୁ ମୁସଲମାନରେ ବିଭକ୍ତ କରନ୍ତି। ତା’ପରେ ଶ୍ରେଣୀଗୁଡ଼ିକୁ ବିଭକ୍ତ କରନ୍ତି। ଏହା ପରେ ସେମାନେ ରାଜସ୍ଥାନରେ ବିଦ୍ୟୁତ୍ ମଧ୍ୟ ଭାଗ ଭାଗ କରନ୍ତି। ଏସବୁ ପରେ ବର୍ତ୍ତମାନ ସେମାନେ କଳା ଓ ସିନେମାକୁ ମଧ୍ୟ ଭାଗ କରୁଛନ୍ତି, ଯାହା ଦୁଃଖଦାୟକ। ସମସ୍ତଙ୍କ ଅବଦାନକୁ ସ୍ୱୀକାର କରନ୍ତୁ ସାର୍।