
ଶ୍ରୀନଗର: ରବିବାର ଦିନ ଜମ୍ମୁର ଗାନ୍ଧିନଗରରେ ଦଳୀୟ କାର୍ଯ୍ୟାଳୟ ବାହାରେ ପିଡିପି ମୁଖ୍ୟ ମେହବୁବା ମୁଫତି କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଆଜି ଏହି ଦଳ(ବିଜେପି) ଦୁନିଆର ସବୁଠାରୁ ଧନୀ ଦଳ ହୋଇପାରିଛି। ସେମାନେ (ବିଜେପି) ସେମାନଙ୍କର ଧନୀ ସାଙ୍ଗମାନଙ୍କ ଋଣ ଛାଡ କରି କମିଶନ ପାଆନ୍ତି | ସେଥିପାଇଁ ୨୦୧୪ ପୂର୍ବରୁ ୧୦୦ ଟଙ୍କା ମୂଲ୍ୟର ଉତ୍ତରୀୟ ପକାଉଥିବା ଏହି ଦଳର ଲୋକମାନେ ଆଜି ୮୦,୦୦୦ ଟଙ୍କାର ଉତ୍ତରୀୟ ବ୍ୟବହାର କରୁଛନ୍ତି |ଯେଉଁମାନେ ପୂର୍ବରୁ ୫୦୦୦ ଟଙ୍କାର ଚଷମା ପିନ୍ଧୁଥିଲେ ଆଜି ସେମାନେ ଦେଢ଼ ଲକ୍ଷ ଟଙ୍କାର ଚଷମା ପିନ୍ଧି ବୁଲୁଛନ୍ତି | ପିଡିପି ମୁଖ୍ୟ କହିଛନ୍ତି ଯେ ଯେତେବେଳେ ବି ବିଜେପି କୌଣସି ରାଜ୍ୟର ସରକାରକୁ ଭାଙ୍ଗିବାକୁ ଚାହେଁ ସେତେବେଳେ ଇଡି, ସିବିଆଇ, ଏନ୍ଆଇଏ, ଏସିବିର ସାହାରା ନେଇଥାଏ |
ଯେତେବେଳେ ଇଡି, ସିବିଆଇ, ଏନଆଇଏ, ଏସିବି ବିଫଳ ହୋଇଥାନ୍ତି, ସେତେବେଳେ ସେଠାରେ ଟଙ୍କା କାମ କରେ। ଏହା ପରେ ମେହବୁବା ମୁଫତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଜମ୍ମୁରେ ମୁଖ୍ୟମନ୍ତ୍ରୀ ଶାସନ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି | ତେବେ ଏଠାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ମୁଖ୍ୟ ସଚିବ କିମ୍ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପରାମର୍ଶଦାତା ଭାବରେ କାହିଁକି ଜମ୍ମୁ ନାଗରିକ ନାହାଁନ୍ତି? ସେ କହିଛନ୍ତି ଯେ ଯେତେବେଳେ ପରିବାରବାଦ ବିଷୟରେ ଆଲୋଚନା କରାଯାଉଛି, ତେବେ ସବୁଠାରୁ ଅଧିକ ପରିବାରବାଦ ଏବଂ ଦୁର୍ନୀତି ବିଜେପିରେ ଅଛି। ଅମିତ ଶାହାଙ୍କ ପୁଅ ଜୟ ଶାହା ବିସିସିଆଇର ସଚିବ ରହିଛନ୍ତି। ମେହବୁବା ମୁଫତି କହିଛନ୍ତି ଯେ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଥିବାବେଳେ ସେ କିନ୍ତୁ ଆଜି ଦେଶକୁ ଏକଜୁଟ କରିବା ପାଇଁ ରାସ୍ତାରେ ଚାଲୁଛନ୍ତି |