ନୀତୀଶ ବୁଢ଼ା ହୋଇଗଲେଣି !

add-all

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ପରସ୍ପର ଭିତରେ ଜାରି ରହିଛି ବୟାନବାଜୀ। ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତିଶଙ୍କ ଅଭିଯୋଗକୁ ନେଇ ଉତ୍ତର ଦେଇଛନ୍ତି ପିକେ। ନୀତୀଶ କୁମାରଙ୍କୁ ସେ ପରୋକ୍ଷରେ ବୁଢ଼ା ତଥା ବୟସ୍କ ବୋଲି କହିଛନ୍ତି।
ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, ନୀତୀଶଙ୍କ ଉପରେ ଧୀରେ ଧୀରେ ବୟସର ପ୍ରଭାବ ଦେଖିବାକୁ ମିଳିଛି। ସେ ବୁଢ଼ା ହୋଇଗଲେଣି। ସେ ଏପରି କିଛି ଲୋକଙ୍କ ସହ ଘେରି ଯାଇଛନ୍ତି ଯେ, ଯେଉଁଥିରେ ନିଜ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଏକୁଟିଆ ପଡ଼ିଯାଇଥିବାରୁ ଏପରି କହୁଛନ୍ତି। ସେ କ’ଣ କହୁଛନ୍ତି ତାହା ନିଜେ ବି ଜାଣିପାରୁ ନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ନୀତୀଶ କହୁଛନ୍ତି ମୁ ବିଜେପିର ଏଜେଣ୍ଡା ଉପରେ କାମ କରୁଛି। ପୁଣି କହୁଛନ୍ତି ମୁଁ କଂଗ୍ରେସ ଆଉ ଜେଡିୟୁକୁ ମିଶ୍ରଣ କରିବାକୁ କହିଥିଲି। ଯଦି ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରିବି ତେବେ କଂଗ୍ରେସ ଓ ଜେଡିୟୁକୁ ମଜଭୁତ କରିବା ପାଇଁ ସେମାନଙ୍କୁ କାହିଁକି ଏକାଠି ହେବାକୁ କହିବି ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ୪-୫ ବର୍ଷ ତଳେ ପ୍ରଶାନ୍ତ କିଶୋର ତାଙ୍କୁ କୁଆଡେ କଂଗ୍ରେସ ସହ ମିଶିବା ପାଇଁ ପ୍ରସ୍ତାବ ଦେଇଥିବା ନୀତୀଶ କୁମାର କହିଥିଲେ। କିନ୍ତୁ ଏହି ପ୍ରସ୍ତାବରେ ସେ ରାଜି ହୋଇନଥିଲେ ନୀତୀଶ କହିଥିଲେ।

ad-week
Leave A Reply

Your email address will not be published.