
ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ହିନ୍ଦୁ ବିରୋଧୀ ଭାଷଣ ଦେଇ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଥିବାରୂ ଏଆଇଏମଆଇଏମର ଉତ୍ତରପ୍ରଦେଶ ଅଧ୍ୟକ୍ଷ ଶୌକତ ଅଲିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ କହିଥିଲେ ଯେ, ଯେଉଁମାନେ ମୁସଲମାନମାନଙ୍କୁ ଧମକ ଦେଉଛନ୍ତି, ସେମାନେ ଜଣେ ମହିଳାଙ୍କୁ ବିବାହ କରନ୍ତି। କିନ୍ତୁ ସେମାନଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥାଏ। ସ୍ତ୍ରୀକୁ ଛାଡ଼ି ଅନ୍ୟ ମହିଳା ସହ ସମ୍ପର୍କ ରଖି ସେମାନେ ଅବୈଧ ସନ୍ତାନ ଜନ୍ମ କରନ୍ତି। ସମ୍ଭଲରେ ଏକ ସଭାରେ ଯୋଗ ଦେଇ ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏଆଇଏମଆଇଏମ ନେତାଙ୍କ ଏଭଳି ବିବୃତି ଦେଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି ଯେ, ଯଦି ମୁସଲମାନମାନେ ଦୁଇଥର ବିବାହ କରନ୍ତି, ତେବେ ସେମାନେ ଉଭୟ ମହିଳାଙ୍କୁ ସମ୍ମାନ କରନ୍ତି। ହେଲେ ଯେତେବେଳେ ଜଣେ ହିନ୍ଦୁ ଜଣକୁ ବିବାହ କରେ, ସେତେବେଳେ ସେ ଅନ୍ୟ ୩ଜଣ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖେ। ଯେତେବେଳେ ବିଜେପି ଦୁର୍ବଳ ହୁଏ, ସେତେବେଳେ ସେ ମୁସଲମାନମାନଙ୍କ ପଛରେ ପଡ଼ିଯାଏ। ବିଜେପିକୁ କହୁଛି ଯେ, ମୁସଲମାନମାନେ ଅଧିକ ସନ୍ତାନ ଜନ୍ମ କରୁଛନ୍ତି ଏବଂ ଏକାଧିକ ମହିଳାଙ୍କୁ ବିବାହ କରୁଛନ୍ତି। ହଁ, ଏହା ସତ୍ୟ ଯେ ଆମେ ଦୁଇଟି ବିବାହ କରିଥାଉ କିନ୍ତୁ ଉଭୟ ପତ୍ନୀଙ୍କୁ ସମ୍ମାନ ଦେଇଥାଉ। କିନ୍ତୁ ତୁମେ ଜଣକୁ ବିବାହ କର ଏବଂ ଅନ୍ୟ ତିନୋଟି ମହିଳାଙ୍କ ସହ ସମ୍ପର୍କ ରଖ, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଆପଣ ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ସମ୍ମାନ ଦିଅନ୍ତି ନାହିଁ।