
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସମସ୍ତ ଜନ ପ୍ରତିନିଧୂମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା ସେମାନଙ୍କ ଅଞ୍ଚଳରେ ରହିଥିବା ସମସ୍ୟାଗୁଡ଼ିକୁ ଗୃହରେ ଉପସ୍ଥାପନା କରିବାକୁ ମାନନୀୟା ଅଧ୍ୟକ୍ଷା ଅନୁରୋଧ କରିଥିଲେ । ସେହିପରି ବିଭାଗୀୟ ଅଧିକାରୀମାନେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଜନ ପ୍ରତିନିଧି ମାନଙ୍କୁ ଜଣାଇବା ସହିତ ସେମାନଙ୍କ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଜିଲ୍ଲାର ଗୁରୁ ଦାୟିତ୍ବ ଆମମାନଙ୍କ ହାତରେ ରହିଛି ବୋଲି କହିଥିଲେ । ଆମ ଉପରେ ଜନସାଧାରଣଙ୍କର ଆଶା ଓ ଭରସା ମଧ୍ୟ ରହିଛି । ଜିଲ୍ଲାରେ ରାସ୍ତାଘାଟ, ବିଦ୍ୟୁତ ଓ ନେଟୱାର୍କ ସମସ୍ୟା ରହିଛି। ଏହି ସମସ୍ୟା ତଥା ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଜିଲ୍ଲାର ବିଭିନ୍ନ ସମସ୍ୟା ସହିତ ୫ଟିକୁ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାର ସମସ୍ତ ତହସିଲଦାର ମାନେ ଚଳିତ ବର୍ଷା ଋତୁରେ ଥଇଥାନ ପାଇଁ ନିରବଚ୍ଛିନ୍ନ ଭାବରେ କାମ କରିଛନ୍ତି । ଯଦିବା କେଉଁଠି କିଛି ସମସ୍ୟା ରହିଯାଇଛି ତେବେ ଲେଖିକି ଦେଇଦିଅନ୍ତୁ ଆମେ ତୁରନ୍ତ ସେଗୁଡ଼ିକର ସମାଧାନ କରିଦେବୁ ବୋଲି କନ୍ଧମାଳ ଜିଲ୍ଲାପାଳ ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ, କନ୍ଧମାଳ ଜିଲ୍ଲା ପରିଷଦ ପାଟିଲ୍ ଆଶିଷ ଇଶ୍ଵର କହିଥିଲେ । ଆମେ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଅଧୁକ ଗୁରୁତ୍ବ ଦେଉଛୁ । କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ ତଥା କର୍ମଚାରୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ କାର୍ଯ୍ୟାଳୟ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।ପ୍ରାରମ୍ଭରେ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନର ଅନୁପାଳନ ବିବରଣୀ ଗୃହରେ ପଠନ ପୂର୍ବକ ଏହାର ଦୃଢ଼ୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ପରେ ଚଳିତ ଦ୍ଵିତୀୟ ଅଧୁବେଶନର କାର୍ଯ୍ୟସୂଚୀ ଉପସ୍ଥାପନକରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନର ସୁପାରିଶ ଆଧାରରେ ପଞ୍ଚାୟତିରାଜ ତଥା ଜିଲ୍ଲା ପରିଷଦ ନିମନ୍ତେ ଡିଭୋଲୁସନ୍ ପାଣ୍ଠିର ବ୍ୟବହାର ପାଇଁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟ ମାନଙ୍କ ଦ୍ବାରା ପ୍ରଦତ୍ତ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ଜରିଆରେ ପ୍ରାପ୍ତ ହୋଇଥିବା ବାର୍ଷିକ ଖସଡ଼ା ଅନୁମୋଦନକରାଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନ କରିଥିବାବେଳେ ମାନ୍ୟବର ବିଧାୟକ ଏବଂ ଜନ ପ୍ରତିନିଧିମାନଙ୍କର ଅଭିଯୋଗ ଆଧାରରେ ପଦକ୍ଷେପ ନେବେ ବୋଲି ପ୍ରତିସୃତି ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ କୃଷି କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନ କରିଥିଲେ । ସେହିପରି, ଉପ କୃଷି ନିର୍ଦ୍ଦେଶକ (ଉଦ୍ୟାନ), ଅଧ୍ୟକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, କନ୍ଧମାଳ, ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ି, ଫୁଲବାଣୀ ଓ ବାଲିଗୁଡ଼ା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ଉପସ୍ଥାପନ କରିଥିଲେ। ସଚିବ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ବିଶ୍ଵରଞ୍ଜନ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ,ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା,ବିଭାଗୀୟ ପଦାଧୁକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।