ଜଳିପୋଡ଼ି ପାଉଁଶ ହୋଇଗଲା ୭୦୦ ଦୋକାନ

add-all

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ମଙ୍ଗଳାବାର ଭୋର ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଛି।

ଭୋର ସମୟରେ ଦୋକାନ ଗୁଡ଼ିକ ବନ୍ଦ ଥିଲା। ସେହିପରି ମାର୍କେଟରେ କୌଣସି ଲୋକ ନଥିବାରୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ତେବେ ୭୦୦ ଦୋକାନରେ ଥିବା ସମସ୍ତ ଜନିଷପତ୍ର ନିଆଁର ଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି।
ଏହା ରାଜ୍ୟର ସବୁଠାରୁ ପୁରାତନ ମାର୍କେଟ। ପ୍ରତିଦିନ ଏଠାକୁ ହଜାର ହଜାର ଲୋକ ଆସନ୍ତି। ମାର୍କେଟ ପାଖରେ ଦମକଳ ବାହିନୀ କେନ୍ଦ୍ର ଥିବା ବେଳେ ନାହାରଲାଗୁନ ପୁଲିସ୍‌ ଷ୍ଟେସନ ବି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୀପାବଳି ରହିଥିଲା। ତେଣୁ କୌଣସି ବାଣ କିମ୍ବା ଉତ୍ସବ ପାଇଁ କୌଣସି ଦୋକାନରେ ଲାଗିଥିବା ଦୀପ ନିଆଁରୁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଭୋର ସମୟରେ ମାର୍କେଟରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀ ତୁରନ୍ତ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ବାଉଁଶ ଓ ବତାରେ ତିଆରି ହୋଇଥିବା ଦୋକାନ ଗୁଡ଼ିକରେ ଚାହୁଁଚାହୁଁ ନିଆଁ ଧରି ଯାଇଥିଲା। ସେହିପରି ଦୋକାନ ଭିତରେ ଥିବା ଶୁଖିଲା ସାମଗ୍ରୀ ମଧ୍ୟ ନିଆଁକୁ ବ୍ୟାପକ କରିଥିଲା।

ସ୍ଥିତି ଏପରି ହୋଇଥିଲା ଯେ ଆଖି ପିଛୁଳାକେ ୭୦୦ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ବ୍ୟାପିବାରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ମଧ୍ୟ ଘିଅ ଢାଳିବା କାମ କରିଥିଲା। ଦୋକାନୀମାନେ ବିସ୍ଫୋରଣ ଯୋଗୁ ମାର୍କେଟ ଭିତରକୁ ପଶିବାକୁ ସାହାସ ଦେଖାଇ ପାରି ନଥିଲେ।

୩ଟି ଅଗ୍ନିଶମ ଗାଡ଼ି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ନିଆଁ ପ୍ରକୃତରେ କେମିତି ଲାଗିଲା, ସେ ବିଷୟରେ ପୁଲିସ୍‌ କିଛି ବି କହିନି। ସେହିପରି ୭୦୦ ଦୋକାନ ପୋଡ଼ି ଯିବା ଦ୍ୱାରା କେତେ ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ସେକଥା ମଧ୍ୟ ପୁଲିସ କହିନି।

ad-week
Leave A Reply

Your email address will not be published.