
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସେମାନଙ୍କ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘର ସମ୍ପାଦକ ରବିନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ସୁବାଷ ଛକ ସଂଘ କାର୍ଯ୍ୟାଳୟ ପରିସରରୁ ଶତାଧୀକ ଅବସରପ୍ରାପ୍ତ କର୍ମଚାରୀ ଏକ ଶୋଭା ଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ମାସିକ ସ୍ୱାସ୍ଥ୍ୟ ଭତ୍ତା ସହ ସ୍ୱାସ୍ଥ୍ୟ ବୀମାଭୁକ୍ତ, ପୁରାତନ ପେନସନ୍ ଯୋଜନା ଲାଗୁ କରିବା, ଜାନୁଆରୀ ୨୦୨୦ ଠାରୁ ଜୁଲାଇ ୨୦୨୧ ପ ର୍ଯ୍ୟନ୍ତ ସ୍ଥଗିତ ୧୮ ମାସର ବର୍ଧିତ ଭତ୍ତା ପ୍ରଦାନ, ୬୫ ବର୍ଷ ପରେ ଅତିରିକ୍ତ ଭତ୍ତା ପ୍ରଦାନ, ସର୍ବନିମ୍ନ ପେନସନ୍ ୮୩୦୦ ରୁ ୧୨ ହଜାରକୁ ବୃଦ୍ଧି, ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ରେଲବାଇ ଯାତାୟତରେ ରିହାତି ପ୍ରଦାନ କରିବା ଇତ୍ୟାଦି ଦାବି କରିଛନ୍ତି । ଏଥିସହ ମାଲକାନଗିରି ଜିଲ୍ଲାରେ ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରତି ମାସରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉତ୍ତମ ଚିକିତ୍ସା ଯୋଗାଇଦେବା, ବ୍ୟାଙ୍କ ଗୁଡିକରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର କାଉଂଟର ଖୋଲିବା, ୮୦ ବର୍ଷରୁ ଉର୍ଧ ନାଗରିକ ମାନଙ୍କ ପେନସନ୍ ତାଙ୍କ ନିଜ ଘରେ ଘରେ ପ୍ରଦାନ କରିବା, ପୋଲିସ ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ପ୍ରଦାନ ଇତ୍ୟାଦି ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ରଥିକୃଷ୍ଣ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ପ୍ରକାଶ ପଟ୍ଟନାୟକ, ସଭାପତି ସିମାଂଚଳ ପାଣିଗ୍ରାହି, ଉପସଭାପତି ନବ ସାହୁ, ସହ ସମ୍ପାଦକ ସୀମାଞ୍ଚଳ ପଣ୍ଡା, କୋଷାଧ୍ୟକ୍ଷ ମଦନମୋହନ ନାୟକ ଏବଂ ବାଲାରାଜୁ ପାଢିଙ୍କ ସହ ୧୦୦ରୁ ଉର୍ଧ ସଦସ୍ୟ ଯୋଗ ଦେଇଥିଲେ ।