ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି

add-all

ପୁରୀ: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ଆଜି ସକାଳେ ମନ୍ଦିରର ପୂଜକ ଦ୍ବାର ଫିଟାଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ସମସ୍ତ ମୂର୍ତ୍ତି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ, ଦୂର୍ଗା, ଚନ୍ଦ୍ରଶେଖର ଓ ନୃସିଂହ ପ୍ରଭୃତି ମୂର୍ତ୍ତି ଦୁର୍ବୁତ୍ତମାନେ ଚୋରି କରି ନେଇଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ପୁରୀ ସହର ଓ ସଦର ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇନାହିଁ। ତେବେ ପୁଣିଥରେ ଏହି ଦୁର୍ବୁତ୍ତମାନେ ମନ୍ଦିରରୁ ଚୋରି କରିଥିବା ବେଳେ ପୋଲିସ କେତେଦୂର ଏମାନଙ୍କୁ ଧରିବାରେ ସକ୍ଷମ ହେଉଛି ତାକୁ ହିଁ ଅପେକ୍ଷା।

ad-week
Leave A Reply

Your email address will not be published.