ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଗୁଜରାଟ ସରକାରଙ୍କ ଉପରେ ବର୍ଷିଲେ କୋର୍ଟ

add-all

ଅହମଦାବାଦ: ଗୁଜରାଟ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ କ୍ଷତିଗ୍ରସ୍ତକୁ ମିଳିଥିବା ଆର୍ଥିକ ସହାୟତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗୁଜରାଟ ହାଇକୋର୍ଟ। ମୋର୍ବି ବ୍ରିଜ ଭୁଶୁଡ଼ିବା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର ଦେଇଥିବା ଆର୍ଥିକ ସହାୟତା ଅତ୍ୟନ୍ତ ସ୍ୱଳ୍ପ ବା ଖରାପ। କ୍ଷତିପୂରଣ ବାସ୍ତବବାଦୀ ହେବା ଦରକାର ଓ ବର୍ତ୍ତମାନ ସମୟରେ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟ ଆହତମାନଙ୍କୁ ଯେଉଁ ପରିମାଣର ଆର୍ଥିକ ସହାୟତା ମିଳିଛି, ତା’କୁ ମଧ୍ୟ ନାପସନ୍ଦ କରିଛନ୍ତି।

ମୋର୍ବିର ମାଚ୍ଛୁ ନଦୀ ଉପରେ ଥିବା ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୩୫ ଜଣଙ୍କ ଜୀବନ ଯାଇଥିଲା।

କୋର୍ଟ ଆଜି ଶୁଣାଣି ବେଳେ କହିଛନ୍ତି, “ଦୁର୍ଘଟଣା ପରେ ଅନାଥ ହୋଇଥିବା ପିଲାଙ୍କୁ ମାସିକ ୩ ହଜାର ଟଙ୍କା ଦେବାର ମୂଲ୍ୟ କିଛି ନାହିଁ। ଏହି ଟଙ୍କା ସେମାନଙ୍କ ୟୁନିଫର୍ମ ଓ ବହି ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। ମାସିକ ୩ ହଜାର ଟଙ୍କା ଆଦୌ ଉଯୁକ୍ତ ଆର୍ଥିକ ସହାୟତା ନୁହେଁ।” ଦୁର୍ଘଟଣାରେ ୭ ଜଣ ପିଲା ଅନଥା ହୋଇଯାଇଥିବା ବେଳେ ୧୨ ଜଣ ପିଲା ସେମାନଙ୍କ ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି।

କୋର୍ଟ କହିଛନ୍ତି, କ୍ଷତିଗ୍ରସ୍ତକୁ ମିଳିଥିବା ଆର୍ଥିକ ସହାୟତା ଆଦୌ ସନ୍ତୋଷଜନକ ନୁହେଁ। ସରକାର ଆର୍ଥିକ ସହାୟତା ଦୁଇ ଗୁଣ କରନ୍ତୁ କିମ୍ବା ଅତିକମରେ ୧୦ ଲକ୍ଷ ଟଙ୍କା ଲେଖାଏ ଦିଅନ୍ତୁ। ଏଥିସହ ରାଜ୍ୟ ସରକାର ପରିବାର ଚଳାଉଥିବା ବ୍ୟକ୍ତି କିମ୍ବା ମହିଳା ପ୍ରାଣ ହରାଇଛନ୍ତି କି ନାହିଁ, ତା’ର ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ କହିଛନ୍ତି। ସରକାର ସତ୍ୟପାଠ ଜରିଆରେ ବିସ୍ତୃତ ତଥ୍ୟ ଦେବେ ଓ କ୍ଷତିପୂରଣ ସମ୍ପର୍କରେ ନୂଆ ନୀତି ଆଣିବେ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।

କ୍ଷତିପୂରଣ ବ୍ୟତୀତ ରାଜ୍ୟରେ ଥିବା ସବୁ ବ୍ରିଜ୍‌ର ସର୍ଭେ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ad-week
Leave A Reply

Your email address will not be published.