ଓଡ଼ିଶାର ନୂତନ ଫସଲ ସଂରକ୍ଷଣ ନୀତି ଖୁବ୍ ଶୀଘ୍ର : କୃଷି ସଚିବ

add-all

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ କୃଷି ଉଦ୍ୟୋଗୀ ଜିଲ୍ଲାରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ କଲ୍ୟାଣ, ବୟନ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସୋମବାର ତେନ୍ତୁଳଖୁଣ୍ଟି ବ୍ଲକର ବିଜରାଗୁଡାଠାରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜୈବ ପ୍ରଯୁକ୍ତି କିଶାନ କୃଷକ ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର ଫସଲର ପରବର୍ତ୍ତୀ ସଂରକ୍ଷଣ ନୀତି ଖୁବ୍ ଶୀଘ୍ର ଆରମ୍ଭ କରିବେ ବୋଲି ଡକ୍ଟର ପାଢ଼ୀ ମତବ୍ୟକ୍ତ କରିଛନ୍ତି। ଖୁବ୍ ଶୀଘ୍ର ରାଜ୍ୟରେ ୫ ଟନ୍ ବିଶିଷ୍ଟ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର ବିଭିନ୍ନ ଜାଗାରେ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହା ସହ ବୈଜ୍ଞାନିକ ପଦ୍ଧତିରେ ବହୁମୂଲ୍ୟ ପନିପରିବା ଓ ଫଳ ଚାଷ କରିପାରିଲେ ନିଶ୍ଚିତଭାବେ ଚାଷୀମାନେ ଲାଭ ପାଇପାରିବେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରୁ ଅନେକ ଉଦ୍ୟୋଗୀ ଆଗେଇ ଆସିଲେ ନବରଙ୍ଗପୁର ଜିଲ୍ଲାକୁ କୃଷି ଉଦ୍ୟୋଗୀ ଜିଲ୍ଲା ଭାବେ ସ୍ଵୀକୃତି ମିଳିପାରିବ ବୋଲି ଡକ୍ଟର ପାଢ଼ୀ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ବ୍ୟବସାୟିକ କୃଷି ସହ ବଜାର ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ନିଶ୍ଚିତଭାବେ ଚାଷୀମାନେ ଲାଭ ପାଇପାରିବେ ବୋଲି କହିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅନ୍ୟା ଦାସ ଉପସ୍ଥିତ ରହି କ୍ଲଷ୍ଟର ଭିତ୍ତିକ ଚାଷ କରିପାରିଲେ ନିଶ୍ଚିତଭାବେ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରଚାରକ ଲକ୍ଷ୍ମୀ ନାରାୟଣ ବକ୍ସି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜି ଭେଙ୍କଟ ରାଓ, ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଚନ୍ଦ୍ର ମୋହନ ସାହୁ, ଆତ୍ମାର ଉପ ନିର୍ଦ୍ଦେଶକ କମଳ ଲୋଚନ ନାୟକଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୧୦୦ ଜଣ ଚାଷୀ ଉପସ୍ଥିତ ଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ଡକ୍ଟର ଏମ ନେଦୁ ଚେଜିୟାନ, ଅଗ୍ରଣୀ କୃଷି ଉଦ୍ୟୋଗୀ ହସମୁଖ ଲାଲ ଚାୱାଡା, ଅମିତାଭ ରାଉତ ରାୟ, କମଲେସ୍ ସାହୁ, ବିଶ୍ୱଜିତ୍ ପରିଡ଼ା ସହଯୋଗ କରିଥଲେ।

ad-week
Leave A Reply

Your email address will not be published.