ନିର୍ବାପିତ ସୁନ୍ଦରଗଡ଼ କଳାଜଗତର ପ୍ରଦୀପ…

add-all


ସୁନ୍ଦରଗଡ଼ :ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ‌ହୋଇଥିଲା। ତାଙ୍କ ବିୟୋଗରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେମା ଜଗତର ଏକ ଅପୁରଣୀୟ କ୍ଷତି।
ସେ ବହୁ ସମ୍ବଲପୁରୀ ନାଟକ ରଚନା କରିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ରବି କିନାଗୀଙ୍କ ନିର୍ଦ୍ଦେଶିତ ‘ସ୍ତ୍ରୀ’, ‘ପବିତ୍ର ବନ୍ଧନ’ ଏବଂ ‘ସୁନା ଶଂଖାଳି‌’ ଭଳି ଚଳଚ୍ଚିତ୍ରର ସେ ପ୍ରଯୋଜନା କରିିଥିଲେ। ତେବେ ଓଡ଼ିଆ ଚଳଚ୍ଚିତ୍ର ‘ଚିନି’ ର କାହାଣୀ ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ପ୍ରଦୀପ ଭୋଳ। ଏହି ଚଳଚ୍ଚିତ୍ରଟି ରାଜ୍ୟ ସରକାରଙ୍କ ଦ୍ବାରା‌ ବହୁ ବିଭାଗରେ ପୁରସ୍କୃତ ହୋଇଥିଲା।
ସେ ‘ମାଉ’ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଯେଉଁଥିରେ ୧୧ ଶହ ବର୍ଗ କ୍ଷେତ୍ରର ମଞ୍ଚ ଉପରେ ଏକକାଳୀନ ୨ ଶହ କଳାକାର ଅଭିନୟ କରିଥିଲେ। ଯାହାକି ୨୦୦୯ ମସିହାରେ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଥିଲା। ଆଗାମୀ ଡିସେମ୍ବର ୨୭ ତାରିଖରେ ସମ୍ବଲପୁର ନାଟକ ମହୋତ୍ସବରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକ ‘ଭାବ’ ପରିବେଷିତ ହେବାକୁ ଥିଲା।
ସେ ସୁନ୍ଦରଗଡ଼ର ବିଭିନ୍ନ ନାଟ୍ୟ ସଂସ୍ଥା ଓ ସଂସ୍କୃତିକ ଅନୁଷ୍ଠାନ ସହ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିଲେ। ତାଙ୍କ ଲିଖିତ ବହୁ ନାଟକ ଓଡ଼ିଶାର ବିଭିନ୍ନ କୋଣରେ ଏବଂ ଓଡ଼ିଶା ବାହାରେ ମଧ୍ୟ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। କୃଷି କ୍ଷେତ୍ରରେ ମନ ନିବେଶ କରି ଅନେକ ଅଭିନବ ପ୍ରୟୋଗ କରି ସେ ଜଣେ ସଫଳ ଚାଷୀ ମଧ୍ୟ ହୋଇ ପାରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.