ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୧୬ ମୃତ, ୪ ଗୁରୁତର

add-all

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତୀୟ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଉତ୍ତର ସିକିମର ଜେମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ଗାଡ଼ିଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୧୩ ଜଣ ଯବାନ ଓ ୩ ଜଣ ଜୁନିଅର କମିସନ୍‌ଡ ଅଫିସରଙ୍କ ମୃତ୍ୟୁ ଘଟିଥିଲା।

ସେନାର ଏହି ଗାଡ଼ିଟି ଯବାନଙ୍କୁ ନେଇ ଚାଟେନ୍‌ରୁ ଥାଙ୍ଗୁ ଅଭିମୁଖେ ଯାଉଥିଲା। ଏହି ଗାଡ଼ି ସହିତ ସେନାର ଆଉ ଦୁଇଟି ଗାଡ଼ି ମଧ୍ୟ ଯାଉଥିଲେ। ଖବର ମିଳିବା ମାତ୍ରେ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଗୁରୁତର ଆହତ ହୋଇଥିବା ୪ ଯବାନଙ୍କୁ ଉଦ୍ଧାର କରି ଏୟାର ଲିଫ୍ଟ କରାଯାଇ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌କୁ ନିଆଯାଇଥିଲା।ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେମାନଙ୍କ ସେବା ଓ ତ୍ୟାଗ ନିକଟରେ ଦେଶ କୃତଜ୍ଞ ବୋଲି ସେ ଟ୍ୱିଟ୍ କରିଛନ୍ତି। ଏହା ସହିତ  ମୃତ ଯବାନଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇବା ସହିତ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ad-week
Leave A Reply

Your email address will not be published.