ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ ବାଧ୍ୟତାମୂଳକ…

add-all

ନୂଆଦିଲ୍ଲୀ: ସରକାର କୋଭିଡ୍‌ ସଂକ୍ରମଣ ରୋକିବା ନିମନ୍ତେ ପ୍ରସ୍ତୁତି ଚଳାଇଥିବା ବେଳେ ଚୀନ୍‌, ଜାପାନ, ଦକ୍ଷିଣ କ‌ୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିମାନଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ କହିଛନ୍ତି।

ଯଦି ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ କିଂବା ସେମାନେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡ଼ନ୍ତି, ତେବେ ସେମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯିବ ବୋଲି ସେ କହିଛନ୍ତି।
ଶନିବାର ଦିନ ଦେଶ ଯେ କୋଭିଡ୍‌ ସଂକ୍ରମଣ ମାମଲା ପ୍ରତିରୋଧ ଲାଗି ପ୍ରସ୍ତୁତ ରହିଛି ସେ ବିଷୟରେ ସୁନିଶ୍ଚିତ ହେବା ପାଇଁ ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମାନଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ଆଜି ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟ ମନ୍ତ୍ରୀମାନଙ୍କ ସହିତ ବୈଠକ ପରେ ମଣ୍ଡଭୀୟ ଟୁଇଟ୍‌ କରି ଲେଖିଥିଲେ: ରାଜ୍ୟ ମନ୍ତ୍ରୀମାନଙ୍କ ସହିତ ଆୟୋଜିତ କୋଭିଡ୍‌-୧୯ ସମୀକ୍ଷା ବୈଠକରେ ସତର୍କତା ଉପରେ ଗୁରୁତ୍ବ ପ୍ରଦାନ କରିଛି। ଭୟଭୀତ ହେବା ଅନାବଶ୍ୟକ। ମହାମାରୀ ପରିଚାଳନା କରିବାରେ ଆମର ୩ ବର୍ଷର ଅଭିଜ୍ଞତା ରହିଛି। ପରିସ୍ଥିତିକୁ ଚାହିଁ ଆମେ ପଦକ୍ଷେପ ଗ୍ରହଣ କରିବୁ।
ଚଳିତ ମାସରେ ଚୀନ୍‌ରେ କୋଭିଡ୍‌-୧୯ ସଂକ୍ରମଣ ବ୍ୟାପକ ହେବାରୁ ଭାରତ ସତର୍କତା ଅବଲମ୍ବନ ନିମନ୍ତେ ଆଗଭର ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ୨୦ ଦିନ ମଧ୍ୟରେ ଚୀନ୍‌ର ପ୍ରାୟ ୧୮% ଜନତା କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

ଉପରୋକ୍ତ ଦେଶମାନଙ୍କରୁ ଆସୁଥିବା ବ୍ୟକ୍ତିଙ୍କ ସାମ୍ପ୍ରତିକ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଘୋଷଣା କରିବା ନିମନ୍ତେ ‘ଏୟାର୍‌ ସୁବିଧା’ ଫର୍ମ ପୂରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ନିଜେ ଘୋଷଣା କରିବାକୁ ଥିବା ‘ଏୟାର୍‌ ସୁବିଧା’ ହେଉଛି ସ୍ବାସ୍ଥ୍ୟ ଓ ଭ୍ରମଣ ନିମନ୍ତେ ଏକ ଡିଜିଟାଲ୍‌ ଡକ୍ୟୁମେଣ୍ଟ୍‌। ଏବେ ଭାରତକୁ ଆସିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହା ଅପରିହାର୍ଯ୍ୟ।

ସେହିପରି, କୋଭିଡ୍‌-୧୯ ମହାମାରୀ ପରିଚାଳନା ନିମନ୍ତେ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଣ ଅବ୍ୟାହତ ରଖିବା ଲାଗି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛି।

ad-week
Leave A Reply

Your email address will not be published.