ଜଏସ୍‌ଟି ଅଫିସ୍‌ର ପରିଚୟ ଦେଇ ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୁଲିସ…

add-all

ଛତ୍ରପୁର : ଜିଏସ୍‌ଟି ଅଫିସ୍‌ର ପରିଚୟ ଦେଇ ଟ୍ରକ୍ ଡ୍ରାଇଭର ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ଖଲିକୋଟ ପୁଲିସ। ଏନେଇ ଆଜି ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଲେଇ। ଅଭିଯୁକ୍ତମାନେ ହେଲେ ଛତ୍ରପୁରର ଦେବାଶିଷ ପଟ୍ଟନାୟକ, ସୁଶାନ୍ତ କୁମାର ଦଲେଇ, ଟି.ଗୋପାଳ ଓ ବ୍ରହ୍ମପୁରର ସୀମାଞ୍ଚଳ ପଣ୍ଡା। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା, ଦୁଇଟି କାର ଓ ୫ଟି ଫୋନ ସହ ୬୦ବସ୍ତା ପାନ ମସଲା(ଗୁଟଖା) ଜବତ ହୋଇଛି।

ଅତିରିକ୍ତ ଏସ୍‌ପି କହିଛନ୍ତି, ବ୍ରହ୍ମପୁରର ସୀମାଞ୍ଚଳ ପଣ୍ଡା ବୋଲି ଜଣେ ବ୍ୟକ୍ତି ଚାଉଳ ଓ ପାନମସଲା ବ୍ୟବସାୟ କରନ୍ତି। ସେ ମାଲକୁ କଲିକତାରୁ ଆନ୍ଧ୍ରପ୍ରଦେଶ ପଠାନ୍ତି। ଆନ୍ଧ୍ରପ୍ରଦେଶର ନାଲୁ ରାଜୁ ବୋଲି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେ ଏହି ମାଲ ପଠାନ୍ତି। ପ୍ରାୟ ୩ ବର୍ଷ ହେବ ଦୁହିଁଙ୍କ ଭିତରେ କାରବାର ଚାଲି ଆସୁଥିଲା। ନାଲୁଙ୍କ ପାଖରେ ପ୍ରାୟ ୧୪ ଲକ୍ଷ ଟଙ୍କା ବାକି ସୀମାଞ୍ଚଳ ପାଇବାର ଥିଲା। ବାରମ୍ବାର ମାଗିବା ପରେ ଟଙ୍କା ନ ଦେବାରୁ ଛତ୍ରପୁରର ସୁଶାନ୍ତ କୁମାର ଦଳେଇଙ୍କୁ ସୀମାଞ୍ଚଳ ଯୋଗାଯୋଗ କରିଥିଲେ। ତିନିହେଁ ମିଶି ଟଙ୍କା ଆଦାୟ ନିମନ୍ତେ ଯୋଜନା କରିଥିଲେ।

ନାଲୁଙ୍କ ଅର୍ଡର ମୁତାବକ ଚଳିତ ମାସ ୨୧ ତାରିଖରେ ଏକ ଟ୍ରକରେ କଲିକତାରୁ ବ୍ରହ୍ମପୁର ୬୦ ବସ୍ତା ପାନ ମସଲା ଧରି ଡ୍ରାଇଭର ଆସୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ଉଜଳେଶ୍ୱରୀ ମନ୍ଦିର ନିକଟରେ ଅଭିଯୁକ୍ତମାନେ ଅଟକାଇଥିଲେ। କାର୍‌ରେ ଆସିଥିବା ଏହି ଅଭିଯୁକ୍ତମାନେ ନିଜକୁ ଜିଏସ୍‌ଟି ଅଫିସ୍‌ର ବୋଲି ପରିଚୟ ଦେଇ ଟ୍ରକ୍ ଡ୍ରାଇଭର ଏମ. ରମେଶଙ୍କ ଠାରୁ ଗୁଟଖା ନେଇଯାଇଥିଲେ। ମାଡ଼ ବି ମାରି ଥିଲେ। ପରେ କୌଶଳ କରି ମାମଲାରୁ ଖସାଇ ଦେବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଡ୍ରାଇଭର ଭୟରେ ଅନ୍‌ଲାଇନ୍ ଯୋଗେ(ଫୋନ୍ ପେ’) ତୁରନ୍ତ ୧ ଲକ୍ଷ ୪୦ ହଜାର ଟଙ୍କା ଦେବାରୁ ଦୁର୍ବୃତମାନେ ଛାଡ଼ିଥିଲେ।

ଘଟଣା ସଂପର୍କରେ ଟ୍ରକ୍ ଡ୍ରାଇଭର ଏମ. ରମେଶ ୨୫ ତାରିଖ ଦିନ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ଲୁଟ୍ ମାମଲା ରୁଜୁ କରି ତଦନ୍ତ କରିବା ବେଳେ ଘଟଣା ଘଟାଇଥିବା ୪ଜଣକୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଘଟଣା ଘଟାଇଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଥିଲେ ଅତିରିକ୍ତ ଏସପି।

ad-week
Leave A Reply

Your email address will not be published.