ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ: ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ପ୍ରତିବାଦ…

ଭୁବନେଶ୍ବର: ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ୨୬ ତାରିଖରେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିଛି। ଆଜି ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବା ପାଇଁ ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ ଜାରି ରହିଛି। ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ । ୨୩ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି। ସେଥିପାଇଁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ କରିଛି ବିଜେପି। ରାଜଧାନୀରେ ଆୟୋଜିତ ସତ୍ୟାଗ୍ରହରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଛନ୍ତି।

ଏଣେ ସମ୍ବଲପୁର ଗୋଲବଜାର ଛକରେ ସତ୍ୟାଗ୍ରହ କରିଛି ବିଜେପି। ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଓ ରେଙ୍ଗାଳି ବିଧାୟକ ନାଉରୀ ନାୟକଙ୍କ ଭଳି ପ୍ରମୁଖ ନେତାଙ୍କ ନେତୃତ୍ୱରେ ଜାରି ରହିଛି ସତ୍ୟାଗ୍ରହ। ସେହିପରି ରାଜ୍ୟର ସମସ୍ତ ସଦର ମହକୁମାରେ ମଧ୍ୟ ବିଜେପି ପକ୍ଷରୁ ସତ୍ୟାଗ୍ରହ ଜାରି ରହିଛି।

ସୂଚନାଯୋଗ୍ୟ, ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ ଯେ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜେଲ୍ ଭିତରେ ପୁଲିସ ସହଯୋଗରେ ହତ୍ୟା କରାଗଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀକୁ ନେଇ ମାହାଙ୍ଗା ମର୍ଡର ଘଟଣାର ୧୩ ନମ୍ବର ମୁଦାଲା ଭାବେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି। ନିଜ ଦଳର ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମଧ୍ୟ ଟ୍ରକ ଚଢ଼ାଇ ହତ୍ୟା କରାଗଲା। ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ମୃତ୍ୟୁ ପାଇଁ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ। ନୟାଗଡ଼ର ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସଂପର୍କରେ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିବା ସହିତ ବର୍ତମାନ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକଲୋଚନକୁ ଆସିପାରିଲା ନାହିଁ। ପ୍ରମାଣ ନଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବିଜେଡିର କ୍ରମାଗତ ଶାସନରେ ଆଜି ଓଡ଼ିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ। ତେଣୁ  ୨୬ ତାରିଖରେ ଦଳର ମଣ୍ଡଳ ସ୍ତରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ଘଣ୍ଟିଆ ସତ୍ୟାଗ୍ରହ ପାଳନ କରାଯିବ।
ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.