କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତୁଞ୍ଜୟ ରଥ ଗଳ୍ପ ସମ୍ମାନ…

add-all

ଫୁଲବାଣୀ,୨୮/୧୨: କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ. ପ୍ରଧାନଙ୍କୁ ମାନପତ୍ର ଓ ଉପ‌ଢୌକନ ସହ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ତଥା ଶିଳ୍ପୀ ସୁଦର୍ଶନ ସାହୁ, ବରିଷ୍ଠ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀ, ବିଶିଷ୍ଟ ସମାଲୋଚକ ପ୍ରଫେସର ବସନ୍ତ ପଣ୍ଡା, ସାହିତ୍ୟିକ ପ୍ରାଧ୍ୟାପକ ତଥା ‘ବିଶ୍ବମୁକ୍ତି’ର ସମ୍ପାଦକ ଶଶାଙ୍କ ଚୂଡ଼ାମଣି, ଗବେଷିକା ଡ. ପ୍ରମୋଦିନୀ ଜେନା ପ୍ରମୁଖ ଉପସ୍ଥିତ ରହି ଡ. ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ଗଳ୍ପ ସାହିତ୍ୟରେ ଡ. ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ’ ପ୍ରଦାନ କରାଯାଇଛି। ଡ. ପ୍ରଧାନଙ୍କ ଚର୍ଚ୍ଚିତ ଗଳ୍ପ ପୁସ୍ତକମାନଙ୍କ ମଧ୍ୟରେ ‘ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ’, ‘ଭିଟାମିନ୍‌’, ‘ଡୁମା ଦେବତା ଓ ଅନ୍ୟାନ୍ୟ ଗଳ୍ପ’, ‘ପର୍ବ’, ‘ପେଡ୍‌ ଗାର୍ଲଫ୍ରେଣ୍ଡ’ ଏବଂ ‘କୁଏଞ୍ଜୁ’ ଆଦି ବେଶ ପାଠକୀୟତା ଲାଭ କରିପାରିଛି। ଏହି ସମ୍ମାନ ଲାଭ କରିବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରେ ଡ. ପ୍ରଧାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପୁରସ୍କାର ତାଙ୍କୁ ଗପ ଲେଖାରେ ଅଧିକ ନିଷ୍ଠାବାନ କରିବ ବୋଲି ଡ. ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ad-week
Leave A Reply

Your email address will not be published.