ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ଟ୍ରେନ୍‌ ସ୍ଥିତି ଜାଣିବାକୁ ହେଲ୍ପଲାଇନ୍‌ ନମ୍ବର ୧୩୯ ଜାରି…

add-all

ଭୁବନେଶ୍ୱର : ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେଉଛି। ତେଣୁ ଟ୍ରେନ୍‌ର ସଠିକ୍‌ ସମୟ ଜାଣିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ୧୩୯ ଜାରି କରାଯାଇଛି। ଅପରପକ୍ଷେ ବିଭିନ୍ନ ରେଳ ସେକ୍ସନ୍‌ରେ କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡ଼ି ସମୟରେ ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିବାକୁ ଚାଳକଙ୍କୁ କୁହାଯାଇଛି। ସାବଧାନତା ଅବଲମ୍ବନ କରିବାକୁ ରନିଙ୍ଗ ଷ୍ଟାଫମାନଙ୍କୁ ନିରାପତ୍ତା ପରିଷଦ ଦ୍ବାରା ପ୍ରଶିକ୍ଷଣ ଦିଆଯାଉଛି।

ରେଳ ବିଭାଗ କହିଛି ଯେ ଲେଭେଲ କ୍ରସିଂ ଏବଂ ବ୍ୟସ୍ତବହୁଳ ଯାତାୟାତ ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓଏଚ୍‌ଇ ଖୁଣ୍ଟଗୁଡ଼ିକରେ ‘ଟ୍ରେନ୍‌ ଅଟକିବା ସଂକେତ’ ପୂର୍ବରୁ ଲଗାଯାଇ ଟ୍ରେନ୍‌ ଚାଳକମାନଙ୍କୁ ସଜାଗ କରାଯାଉଛି। ଏହା ଦ୍ୱାରା ଚାଳକମାନେ ଘନ କୁହୁଡ଼ି ଥିବା ଅଞ୍ଚଳରେ ସାମ୍ନାରେ ଥିବା ସିଗନାଲ ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି। ଯଦି ଚାଳକ ସିଗ୍‌ନାଲ ଦେଖିବାକୁ ସକ୍ଷମ ନ ହୁଅନ୍ତି, ତେବେ ସିଗ୍‌ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟି କରୁଥିବା ଡିଟୋନେଟର୍‌କୁ ପ୍ରୟୋଗ କରାଯାଏ। ଫଳରେ ଟ୍ରେନ୍‌ ସଂକେତ ପାଖରେ ରହିପାରିବ। ଷ୍ଟେସନ ମ୍ୟାନେଜରଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇଛି। ଜଗୁଆଳି ଥିବା ଲେଭେଲ କ୍ରସିଂ ଗେଟ୍‌ରେ ବ୍ୟାରିୟର୍‌ରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଛି। ସେହିପରି ଟ୍ରେନ୍‌ର ପଛ ଡବାରେ ଏଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ରେଳ କର୍ମଚାରୀଙ୍କୁ ପାଟ୍ରୋଲିଂ କରିବା ପାଇଁ କୁହାଯାଇଛି। ଏହାବ୍ୟତୀତ ଅକସ୍ମାତ ତନଖି ସହ ଟ୍ରେନ ଇଂଜିନରେ ଅତର୍କିତ ରାତି ଅଧିଆ ଓ ଭୋର ସମୟରେ ନିରୀକ୍ଷଣ କରାଯାଉଛି।

ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନାହିଁ ବୋଲି ଅନୁଭବ କଲେ ଟ୍ରେନ୍‌ ଚାଳକ କୌଣସି ଶଙ୍କା ନକରି ଟ୍ରେନ୍‌ର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ। ଏହି ସମୟରେ ଟ୍ରେନର ଗତି ଯେପରି ଘଣ୍ଟା ପ୍ରତି ୬୦ କିମି ଅତିକ୍ରମ ନକରେ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। କ୍ରମାଗତ ଭାବେ ହୁଇସିଲ୍‌ ମାରିବାକୁ କୁହାଯାଇଛି, ଯେପରିକି ପାଖରେ ଥିବା ଗେଟମ୍ୟାନ୍‌ ଓ ରାସ୍ତା ବ୍ୟବହାରକାରୀ ଟ୍ରେନ୍‌ ଆସୁଥିବାର ସଂକେତ ଶୁଣି ପାରିବେ।

ad-week
Leave A Reply

Your email address will not be published.