ଅମାନବୀୟ ଅପରାଧ ପାଇଁ ଲଜ୍ଜାରେ ମୋ ମଥା ନଇଁ ଯାଉଛି: ଦିଲ୍ଲୀ ଉପରାଜ୍ୟପାଳ…

add-all

ନୂଆଦିଲ୍ଲୀ: ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି ବୋଲି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ କାର୍‌ରେ ଲାଖି କିଛି କିଲୋମିଟର୍‌ ଘୋଷାଡ଼ି ହୋଇଯାଇ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ କଥାରେ ଦୁଃଖ ବ୍ୟକ୍ତ କରି ରବିବାର ଦିନ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନା କହିଛନ୍ତି।

ଟୁଇଟ୍‌ କରି ସାକ୍‌ସେନା ଲେଖିଛନ୍ତି, ଆଜି ସକାଳେ କଞ୍ଝାୱଲା-ସୁଲତାନ୍‌ପୁରୀରେ ସଂଗଠିତ ଅମାନବୀୟ ଅପରାଧ ଯୋଗୁଁ ଲଜ୍ଜାରେ ମୋର ମଥା ନଇଁ ଯାଉଛି। ଅପରାଧୀମାନଙ୍କର ଦାନବୀୟ ନିଷ୍ଠୁରତା ମତେ ଆଘାତ ଦେଇଛି। ଦିଲ୍ଲୀ ପୁଲିସ କମିସନର୍‌ଙ୍କ ସହିତ ମୁଁ ଘଟଣାର ଅନୁଧ୍ୟାନ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଘଟଣା ସଂକ୍ରାନ୍ତରେ ସବୁ ଦିଗରୁ ତଦନ୍ତ କରାଯାଉଛି।

ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ଏଭଳି ଦାନବୀୟ କାର୍ଯ୍ୟ ନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଚାଲନ୍ତୁ, ଅଧିକ ଦାୟିତ୍ବସମ୍ପନ୍ନ ଓ ସ୍ପର୍ଶକାତର ସମାଜ ଦିଗରେ ଏକତ୍ର କାର୍ଯ୍ୟ କରିବା।

ପୁଲିସ କହିବା ଅନୁସାରେ, ରବିବାର ପ୍ରତ୍ୟୁଷରେ କାର୍‌ ଧକ୍କା ଦେବାରୁ ସ୍କୁଟି ଆରୋହୀ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ କାର୍‌ରେ ଲାଖି ତାଙ୍କ ବିବସନା ଶବ ପ୍ରାୟ ୭ କିଲୋମିଟର୍‌ ପର୍ଯ୍ୟନ୍ତ ଘୋଷାରି ହୋଇ ଦିଲ୍ଲୀ ବାହାର ଅଞ୍ଚଳରେ ଥିବା ସୁଲ୍‌ତାନ୍‌ପୁରୀ ପର୍ଯ୍ୟନ୍ତ ଚାଲିଯାଇଥିଲା।

ଧକ୍କା ଦେଇଥିବା ସେ ମାରୁତି ବାଲେନୋ କାର୍‌ରେ ଯାତ୍ରା କରୁଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଦୁର୍ଘଟଣା ସମୟ‌େରେ ସେମାନେ ନିଶାସକ୍ତ ଥିବା କଥା ଜଣାପଡ଼ିଛି।

ହାତଗୋଡ଼ ଭଙ୍ଗା ଓ ବିବସ୍ତ୍ର ଅବସ୍ଥାରେ ପୁଲିସ ଉକ୍ତ ମହିଳାଙ୍କ ଶବ ଉଦ୍ଧାର କରିଥିବାରୁ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ, ପରେ ପୁଲିସ କହିଥିଲା ଯେ, ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଅଘଟଣ ଘଟିଛି।

ମୃତ ମହିଳାଙ୍କ ଶବକୁ ମଙ୍ଗୋଲ୍‌ପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ମେମୋରିଆଲ୍‌ ହସ୍ପିଟାଲ୍‌କୁ ନିଆଯାଇ ଶବାଗାରରେ ସଂରକ୍ଷିତ କରି ରଖାଯାଇଛି ବୋଲି ସ୍ବତନ୍ତ୍ର ପୁଲିସ କମିସନର୍‌ ଦୀପେନ୍ଦ୍ର ପାଠକ କହିଛନ୍ତି।

ad-week
Leave A Reply

Your email address will not be published.