ଜେଜୀମା’ଙ୍କ କାନ୍ଦ ପ୍ରତି ଧ୍ୟାନ ନ ଦେଇ ରାଜପଥରେ ଜରୁରୀ ବିମାନ ଅବତରଣ କଲେ ୧୮ ବର୍ଷିୟ ପାଇଲଟ୍‌…

add-all

ନୂଆଦିଲ୍ଲୀ: ସକାଳ ଜଳଖିଆ ପାଇଁ ଗୋଟିଏ-ଇଞ୍ଜିନ୍‌ବିଶିଷ୍ଟ ବିମାନରେ ସପରିବାର କାଲିଫର୍ଣ୍ଣିଆକୁ ଯାଉଥିବା ବେଳେ ଇଞ୍ଜିନ୍‌ ଫେଲ୍‌ ହୋଇଯିବାରୁ ଜଣେ ତରୁଣ ପାଇଲଟ୍‌ ବିମାନ ଚାଳନାର ପରାକାଷ୍ଠା ଦେଖାଇ ଚରମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ‘କେଟିଏଲ୍‌ଏ’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ୧୮ ବର୍ଷିୟ ତରୁଣ ପାଇଲଟ୍‌ ବ୍ରୋକ୍‌ ପିଟର୍‌ ସୋମବାର ସକାଳେ ପର୍ବତମାଳା ଉପର ଦେଇ ଉଡ଼ିଯାଉଥିବା ବ‌େଳେ ଇଞ୍ଜିନ୍‌ରେ ବିସ୍ଫୋରଣ ଶବ୍ଦ ଶୁଣିଥିଲେ।

ମଙ୍ଗଳବାର ଦିନ ତରୁଣ ବୈମାନିକ ବ୍ରୋକ୍‌ ପିଟର୍‌ ‘ସିବିଏସ୍‌ ଲସ୍‌ ଏଞ୍ଜେଲ୍‌ସ୍‌’କୁ କହିଛନ୍ତି ଯେ, ସେ ଓ ତାଙ୍କ ପରିବାର ପର୍ବତମାଳା ଅତିକ୍ରମ କରୁଥିବା ବେଳେ ‘ଢ଼ୋ’ ଶବ୍ଦ ଶୁଣିବା ପ‌ରେ ପରେ ବିମାନର ଇଞ୍ଜିନ୍‌କୁ ଇନ୍ଧନ ନ ଯିବା ପରି ଲାଗିଲା।

ପିଟର୍‌ଙ୍କ ଜାଣିବାରେ, ଇଞ୍ଜିନ୍‌କୁ ଇନ୍ଧନ ନ ଗଲେ ସବୁଠୁ ବୁଦ୍ଧିମାନ କାମ ହେଉଛି ଜରୁରୀକାଳୀନ ଅବତରଣ। ସେ ତାହାହିଁ କଲେ।

ସମ୍ବାଦ ପ୍ରସାରଣ ସଂସ୍ଥାନ ‘ସିବିଏସ୍‌ ଲସ୍‌ ଏଞ୍ଜେଲ୍‌ସ୍‌’କୁ ସେ କହିଛନ୍ତି, ସେତେବେଳେ ମୁଁ ବିମାନର ପଛଆଡ଼େ ବସିଥିବା ମୋ ଜେଜୀମାଙ୍କ କାନ୍ଦଣା ଶୁଣିଲି। କିନ୍ତୁ, ତାଙ୍କ କାନ୍ଦଣା ଅପେକ୍ଷା ସମସ୍ତଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ଥିଲା ମୋର ପ୍ରଥମ କର୍ତ୍ତବ୍ୟ।

ଏତିକିବେଳେ ତାଙ୍କ ଦୃଷ୍ଟିରେ ପଡ଼ିଲା ବିମାନକୁ ଜାଗା ହେବା ଭଳି ଗହଳ ଚହଳ ନ ଥିବା ରାଜପଥର ଗୋଟାଏ ଅଞ୍ଚଳ। କୌଣସିମତେ ସେ, ବିମାନର ଦିଗ ପରିବର୍ତ୍ତନ କରି ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ‘ଇଆଇ କ୍ୟାଜନ୍‌ ବୋଲ୍‌ଭାର୍ଡ’ରେ (ଐତିହାସିକ ୬୬ ନମ୍ବର ରାଜପଥର ଏକ ଅଞ୍ଚଳ) ନିରାପଦ ଜରୁରୀ ଅବତରଣ କରାଇବାରେ ସମର୍ଥ ହେଲେ ‌ବୋଲି ‘ଫେଡେରାଲ୍‌ ଏଭିଏସନ୍‌ ଆସୋସିଏସନ୍‌’ କହିଛି।

‘ପିପୁଲ୍‌’ ପତ୍ରିକା ରିପୋର୍ଟ ଅନୁସାରେ, ଜରୁରୀ ଅବତରଣ ବେଳେ ପିଟର୍‌ଙ୍କ ସମେତ ସେ ବିମାନରେ ୪ଜଣ ବ୍ୟକ୍ତି ଥିଲେ। ସୌଭାଗ୍ୟକୁ କେହି ଆହତ ହୋଇ ନାହାନ୍ତି।

‘ଫେଡେରାଲ୍‌ ଏଭିଏସନ୍‌ ଆସୋସିଏସନ୍‌’ ଓ ‘ଦି ନ୍ୟାସ୍‌ନାଲ୍‌ ଟ୍ରାନ୍ସପୋର୍ଟେସନ୍‌ ସେଫ୍‌ଟି ବୋର୍ଡ’ ଏହି ଜରୁରୀ ଅବତରଣ ଘଟଣାର ତଦନ୍ତ କରିବ।

ad-week
Leave A Reply

Your email address will not be published.