
ଫୁଲବାଣୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ,ଓଡ଼ିଶା ସରକାରଙ୍କର ଯୋଜନା ଓ ମନିଟରିଂ ବିଭାଗର ପରିସଂଖ୍ୟାନ ଶାଖା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକାଦଶ କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । କୃଷି ଜନଗଣନା ଦେଶରେ କୃଷି ପରିସଂଖ୍ୟାନ ସଂଗ୍ରହର ଏକ ବ୍ୟାପକ ବ୍ୟବସ୍ଥାର ଏକ ଅଂଶ । ଦେଶର କୃଷି କ୍ଷେତ୍ରର ଗଠନ ବିଷୟରେ ପରିମାଣିକ ସୂଚନା ସଂଗ୍ରହ ଏବଂ ଉତ୍ପନ୍ନ ପାଇଁ ଏହା ଏକ ବୃହତ୍ ପରିସଂଖ୍ୟାନ ଅପରେସନ୍ । ଏହାଦ୍ୱାରା ତଳ ସ୍ତରରୁ କୃଷିର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇ ପାରିବ । ତେଣୁ ୨୦୨୧-୨୨ କୃଷି ଗଣନା ପାଇଁ ଆରମ୍ଭ ହୋଇଥିବା ନୂତନ ପଦକ୍ଷେପ ଅନୁଶାରେ ଜାନୁଆରୀ ମାସରୁ ଆରମ୍ଭ ହେବାକୁ ଯାଉଥିବା କ୍ଷେତ୍ରୀୟ ସର୍ଭେ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ, ଏହି ଗଣନା କାର୍ଯ୍ୟରେ ସହଯୋଗ ପାଇଁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏଥ୍ରେ ସାମିଲ କରିପାରିବେ ବୋଲି ସେ କହିଥିଲେ l ଉପ- ନିର୍ଦ୍ଦେଶକ,ଯୋଜନା ଭୀମସେନ ବାର୍ଲାଙ୍କ ଆଲୋଚନାରୁ ଜଣାପଡ଼ିଛି ଯେ,ଏହି ଗଣନା କାର୍ଯ୍ୟରେ ଜିଲ୍ଲା ପରିସଂଖ୍ୟାନ ବିଭାଗର କ୍ଷେତ୍ର ସର୍ବେକ୍ଷକ ଓ ନିରୀକ୍ଷକ, କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ପରିଦର୍ଶକ, ରାଜସ୍ବ ବିଭାଗର ସହକାରୀ ରାଜସ୍ବ ନିରୀକ୍ଷକ ଓ ଅମିନ ଆଦି କର୍ମଚାରୀ ମାନେ ସାମିଲ ହେବେ । ସମସ୍ତ ଗଣନାକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରିସଂଖ୍ୟାନ ବିଭାଗର ଅଧିକାରୀ ଓ ରାଜ୍ୟ ନିରୀକ୍ଷକ ସୁପରଭାଇଜର୍ ଭାବେ କାର୍ଯ୍ୟ କରିବେ । ଏହି ଗଣନାସମୟରେ ଜମିର ମାଲିକାନା, ଜମିର ଆକାର, ପ୍ରକାର, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବଡ଼ ଚାଷୀ, ବ୍ୟକ୍ତିଗତ ଜୋତ, ଯୁଗ୍ମ ଯୋତ, ଆନିଷ୍ଠାନିକ ଯୋତ, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକଓ ରାସାୟନିକ ସାର ଓ ଔଷଧ ଆଦିର ବ୍ୟବହାର, ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଜିଲ୍ଲାର ୨ହଜାର ୫୦୪ ଟି ଗ୍ରାମକୁ ସର୍ଭେ କରାଯିବ ଏବଂ ୧୫୬ଜଣ ଗଣନାକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି ।ଉକ୍ତ ବୈଠକରେ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ସମବାୟ ସମିତିର ଡେପୁଟି ରେଜିଷ୍ଟାର୍ ଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ ।