ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ବିଫଳ….

add-all

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ବିଫଳ ହୋଇଛି | ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର ୪୦ରେ। ୱାର୍ଡ଼ ନଂ ୪୦ ଅନ୍ତର୍ଗତ ଆଙ୍କୁଲି ନୂଆ ସାହିରେ ଦୀର୍ଘ ୪ ଦିନ ହେଲା ପାନୀୟଜଳ ଯୋଗାଣ ହେଉନଥିବା ଅଚଂଳବାସୀଙ୍କ ମଧ୍ୟରେ ବୃଦ୍ଧି ହୋଇଛି ଅସନ୍ତୋଷ । ଗତ ଡ଼ିସେମ୍ବର ୨୦ ତାରିଖରେ ରାଜ୍ୟ ସରକାର ୨୪ ଘଟିଂଆ ଜଳ ଯୋଗାଣ ପାଇଁ ଡ଼୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏହାର ଏକ ମାସ ନପୁରୁଣୁ ଏହି ଯୋଜନାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଆଙ୍କୁଲି ଅଚଂଳରେ । ୱାଟକୋ ଦ୍ୱାରା ବିଛାଯାଇଥିବା ପାଇପ୍ ଲାଇନ୍‌ରେ ଗତ ୩ ରୁ ୪ ଦିନ ଧରି ଆଙ୍କୁଲି ନୂଆ ସାହିରେ ଜଳ ଯୋଗାଣ ହୋଇପାରିନାହିଁ । ବିଛାଯାଇଥିବା ପାଇପ୍ ଲାଇନ ଗୁଡ଼ିକ ନିମ୍ନ ଧରଣର ଯୋଗୁଁ ବହୁ ପାଇପ୍ ଫାଟି ପାନୀୟଜଳର ଅପଚୟ ଘଟୁଛି । ଉକ୍ତ ଅଚଂଳରେ ପ୍ରାୟ ୭ ଶହରୁ ଉର୍ଦ୍ଧ୍ୱ ଜନବସତି ରହିଥିବା ବେଳେ ପାନୀୟଜଳ ଯୋଗାଣ ସମ୍ପୁର୍ଣ୍ଣ ଠପ୍ ହୋଇଥିବା ଯୋଗୁଁ ଅଚଂଳବାସୀ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି । ପିଇବା ପାଣି ପାଇଁ ସେମାନେ ଅନ୍ୟତ୍ର ସାହି ବୁଲି ଜଳ ସଂଗ୍ରହ କରୁଥିବା ଜଣାପଡ଼ିଛି । ତୁରନ୍ତ ଉକ୍ତ ଅଚଂଳରେ ଜଳଯୋଗାଣ କରିବା ସହିତ ରାଜ୍ୟ ସରକାରଙ୍କ ଯୋଜନାକୁ ସଠିକ୍ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି ଅଚଂଳବାସୀ ଓ ବିଜେପି କର୍ମକର୍ତା । ବିଜେପି କର୍ପୋରେଟର ପ୍ରାର୍ଥୀ ଅରବିନ୍ଦ ମଣ୍ଡଳଙ୍କ ନେତୃତ୍ୱରେ ବାଉରୀ ନାୟକ, ତୁମ୍ବେଶ୍ୱର ନାୟକ, ଜତିନ୍ କୁମାର ନାହାକ, ରୁନୁ ନାହାକଙ୍କ ସମେତ ବହୁ ଅଚଂଳବାସୀ ଆଜି ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଯଦି ତୁରନ୍ତ ସମାଧାନ ନହୁଏ ତେବେ ଆଗାମୀ ଦିନରେ ୱାଟକୋ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ad-week
Leave A Reply

Your email address will not be published.