ପୁଲିସକୁ ବିଶ୍ବାସ ନାହିଁ; ବିଷ ଦେଇଥାଇ ପାରନ୍ତି କହି ଚା ପିଇଲେ ନାହିଁ ଅଖିଳେଶ ଯାଦବ…

add-all

ଲକ୍ଷ୍ନୌ: ପୁଲିସକୁ ବିଶ୍ବାସ ନାହିଁ, ସେମାନେ ଚା’ରେ ବିଷ ମିଶାଇ ଥାଇ ପାରନ୍ତି କହି ଆଜି ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟକୁ ଯାଇଥିବା ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ସମାଜବାଦୀ ପାର୍ଟି’ର କର୍ମୀ ମନୀଷ ଜଗନ ଅଗର୍‌ୱାଲ୍‌ଙ୍କ ଗିରଫଦାରି ପରେ ଲକ୍ଷ୍ନୌ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିବାକୁ ଆଜି ଦଳର ମୁଖ୍ୟ ଅଖିଳେଶ ଯାଦବ ପୁଲିସ ମୁଖ୍ୟାଳୟକୁ ଯାଇଥିଲେ।
ପୁଲିସ ମୁଖ୍ୟାଳୟରେ ଅଖିଳେଶ ଯାଦବଙ୍କର ପୁଲିସ ଅଧିକାରୀମାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପୁଲିସକୁ ବିଶ୍ବାସ ନାହିଁ କହି, ସେଠାରେ ତାଙ୍କୁ ଦିଆଯାଇଥିବା ଚା ପିଇବାକୁ ସେ ମନା କରିଦେଇଥିଲେ।
ପୁଲିସ ଅଧିକାରୀମାନଙ୍କୁ ଅଖିଳେଶ କହିଲେ, ମୁଁ ଚା ପିଇବି ନାହିଁ; ମୁଁ ବାହାରୁ ମଗାଇବି ନଚେତ ନିଜେ ତିଆରି କରିବି। କିଏ ଜାଣେ ଆପଣ ଦେଉଥିବା ଚା’ରେ ବିଷ ମିଶାଯାଇଥିବ। ଆପଣମାନଙ୍କ ଉପରେ ମୋର ବିଶ୍ବାସ ନାହିଁ।
ସେପଟେ, ମନୀଷ ଜଗନ ଅଗ୍ରୱାଲ୍‌ଙ୍କ ମୁକ୍ତି ଦାବି କରି ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ନେତୃତ୍ବରେ ସମାଜବାଦୀ ପାର୍ଟିର କର୍ମୀମାନେ ‘ଡିଜିପି ମୁଖ୍ୟାଳୟ’ର ୨ ନମ୍ବର ଫାଟକ ବାହାରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।
ଦଳର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍‌ ‘ଟୁଇଟର୍‌’ରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ହଜରତଗଞ୍ଜ ଥାନାରେ ୩ଟି ମାମଲା ରୁଜୁ ହେବା ପରେ ଲକ୍ଷ୍ନୌ ପୁଲିସ ମନୀଷ ଜଗନ ଅଗ୍ରୱାଲ୍‌ଙ୍କୁ ଗିରଫ କରିଛି। ‘ସପା’ ମଧ୍ୟ ଟୁଇଟ୍‌ କରି ତାଙ୍କ ଗିରଫଦାରି ପାଇଁ ପୁଲିସକୁ ନିନ୍ଦା କରିଛି।

ad-week
Leave A Reply

Your email address will not be published.