ରାଜଶ୍ରୀଙ୍କ ସ୍କୁଟି ଡିକିରୁ ମିଳିଲା ଚିଠି, ଲେଖା ଅଛି ୨ ଜଣଙ୍କ ନାଁ…!

add-all

କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍‌ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ସ୍ପଷ୍ଟ ହୋଇ ନାହିଁ। ଗତକାଲି ଗୁରୁଡ଼ିଝାଟିଆ ପୁଲିସ ତାଙ୍କ ଗାଡ଼ି ଡିକିରୁ ଏହି ଚିଠିକୁ ଜବତ କରିଥିଲା। ଯାଞ୍ଚ ପାଇଁ ଚିଠିକୁ ଫରେନସିକ୍‌ ଲ୍ୟାବକୁ ପଠାଇଛି। ଅନ୍ୟପକ୍ଷରେ ସ୍କୁଟି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କର ହାତଲେଖା ନୁହେଁ ବୋଲି ତାଙ୍କ ମା’ କହିଛନ୍ତି। ଖୁବଶୀଘ୍ର ଓସିଏର କିଛି କର୍ମକର୍ତ୍ତାଙ୍କୁ ପୁଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ମହିଳା କ୍ରିକେଟର ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିଲେ। ଗତକାଲି ତାଙ୍କ ଝୁଲନ୍ତା ମୃତଦେହ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁବାଷି ରିଜର୍ଭ ଫରେଷ୍ଟରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ମିଳିଥିଲା। ତା’ପରେ ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ମିଳିଥିଲା।

ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ଆସନ୍ତା ୧୮ ଜାନୁଆରୀରୁ ପୁଡ଼ୁଚେରୀରେ ବିସିସିଆଇ ସିନିଅର ମହିଳା ଦିନିକିଆ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୨୫ ଜଣିଆ ସ୍କ୍ୱାଡ୍ ପ୍ରସ୍ତୁତ କରି କଟକରେ ପ୍ରଶିକ୍ଷଣ ଦିଆଯାଉଥିଲା। ପରେ ତା’ ଭିତରୁ ଟିମ୍ ଚୟନ କରାଯାଇଥିଲା। ତେବେ ୧୬ ଜଣିଆ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନଥିବାରୁ ରାଜଶ୍ରୀ ଖୁବ୍ ଅସନ୍ତୁଷ୍ଟ ଥିଲେ। ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ।

୧୦ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କଟକରେ ରହି ୨୫ ଜଣିଆ ସ୍କ୍ୱାଡ୍‌ ସହିତ ପ୍ରଶିକ୍ଷଣ ନେଉଥିବା ରାଜଶ୍ରୀ ୧୧ ତାରିଖରେ ଘରକୁ ଯିବା ପାଇଁ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀଙ୍କୁ ଅନୁମତି ମାଗିଥିଲେ। କୋଚ୍ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ସେ ଘରେ ନ ପହଞ୍ଚିବାରୁ ତାଙ୍କ ଭଉଣୀ କୋଚ୍‌ଙ୍କୁ ଫୋନ୍ କରିଥିଲେ। କୋଚ୍ କଟକରେ ରାଜଶ୍ରୀଙ୍କୁ ଖୋଜାଖୋଜି କରିବା ପରେ ନ ପାଇବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

ରାଜଶ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଟିମ୍ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବାରୁ ରାଜଶ୍ରୀ ଅସନ୍ତୁଷ୍ଟ ଥିଲେ। ତେବେ ଟିମ୍ ଚୟନରେ ଅନିୟମିତତା ଅଭିଯୋଗକୁ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଓ ଓସିଏ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଓସିଏ ସିଇଓ ଗତକାଲି କହିଥିଲେ ଯେ ରାଜଶ୍ରୀଙ୍କ ଠାରୁ ଅଧିକ ଯୋଗ୍ୟ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ad-week
Leave A Reply

Your email address will not be published.