
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିକାଶକୁ ନେଇ ମାଳମାଳ ଯୋଜନା କରୁଥିବା ବେଳେ ଶିକ୍ଷା ଭଳି ଏକ ମୌଳିକ ଆବଶ୍ୟକତା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଓଡିଶାରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଆନୁକୁଲ୍ୟରେ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲୁ ରହିଛି । କିନ୍ତୁ ବିଡ଼ମ୍ବନା ଏହା ଯେ ଦୀର୍ଘ ଦିନ ଧରି ଖବର କାଗଜ ହେଉ ଅବା ବୈଦ୍ୟୁତିକ ଗଣମାଧ୍ୟମ, ବାରମ୍ବାର ଓଡ଼ିଶାର ଶିକ୍ଷା ବିଭାଗର ନୈରାଶ୍ୟ ଜନକ ଭିତ୍ତିଭୂମି ଅଭାବ ତଥା ଶିକ୍ଷକ ଅଭାବକୁ ପ୍ରକାଶ କରି ଆସୁଛି । ସେପଟେ ହାତଗଣତି କେତେକ ବିଦ୍ୟାଳୟକୁ 5T ରୂପାନ୍ତରଣ ପ୍ରକ୍ରିୟାରେ ଯେ କେବଳ ରଙ୍ଗ ଉପରେ ରଙ୍ଗ ଦେବା ସାର ହେଉଛି କିନ୍ତୁ ଆଜି ମଧ୍ୟ ଯେଉଁ ଅବସ୍ଥାରେ ଥିଲା ସେହି ଅବସ୍ଥାରେ ହିଁ ସ୍ଥାଣୁ ଅବସ୍ଥାରେ ରହି ଯାଇଛି ରାଜ୍ୟରେ ଶିକ୍ଷାର ଗୁଣାତ୍ମକତା ।
ତେବେ ଇତି ମଧ୍ୟରେ ଗତ ଜାନୁୟାରୀ ୧୩ ତାରିଖରେ ରାଜ୍ୟ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଶିକ୍ଷକ ଆଶାୟୀ , ଅଭିଭାବକ ତଥା ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ଚହଳ ପକାଇଛି । ବିଜ୍ଞାପନ ଅନୁଯାୟୀ ରାଜ୍ୟରେ ଏକ ନୂତନ ଧରଣର ଶିକ୍ଷକ ଯେଉଁ ମାନଙ୍କୁ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି କରିବା ଦିଗରେ ସମ୍ପୃକ୍ତ ବିଭାଗ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବିଜ୍ଞପ୍ତି ଅନୁସାରେ ସାରା ରାଜ୍ୟର ସମସ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଗୁଡିକୁ ଅତିଥି ଶିକ୍ଷକ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବା ଦିଗରେ କେଉଁ ବିଦ୍ୟାଳୟ ଗୁଡ଼ିକର ଶୂନ୍ୟ ପଡ଼ିଥିବା ଶିକ୍ଷକ ପଦବୀ ସଂଖ୍ୟା କେତେ ସେ ସବୁ ତଥ୍ୟ ନିର୍ଦ୍ଧାରିତ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ତଥା ଜିଲ୍ଲା କାର୍ଯ୍ୟାଳୟ ନୋଟିସ୍ ବୋର୍ଡ ମାଧ୍ୟମରେ ସାର୍ବଜନୀନ କରାଯାଉ ।
ସେପଟେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ କଡାକଡି ବିରୋଧ ତଥା ସମାଲୋଚନା କରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ଆଜି ସଂଘ ତରଫରୁ ସେ ବାବଦରେ ସାମ୍ବାଦିକ ସମ୍ମିଳନୀର ଡାକରା ଦେଇ ସରକାରଙ୍କ ଅପାରଗତା ଏବଂ ପ୍ରଶାସନର ଉଦାସୀନତାକୁ ଜୋରଦାର ବିରୋଧ କରିଛନ୍ତି ସଂଘର ସମ୍ପାଦକ ସୁବ୍ରତ କୁମାର ପଣ୍ଡା , ସାଂଗଠନିକ ସମ୍ପାଦକ ସନ୍ତୋଷ କୁମାର ବରାଳ , ମନୋଜ କର ଓ ଦିପ୍ତୀ ମହାରଣାଙ୍କ ସମେତ ପ୍ରକାଶ କୁମାର ପତି । ସଂଘ ତରଫରୁ ରହୁଥିବା ଦାବୀ ହେଉଛି , ଶିକ୍ଷକ ଅଭାବ ସମ୍ପର୍କରେ ପ୍ରଶାସନ ଯଦି ଉପଲବ୍ଧି କରୁଛନ୍ତି ସିଧାସଳଖ ନିଯୁକ୍ତି ନଦେଇ ଅତିଥି ଶିକ୍ଷକ ଭାବରେ ନିଯୁକ୍ତିର ପ୍ରହସନ କେବଳ ଉଦ୍ଦେଶ୍ୟ ପ୍ରଣୋଦିତ। ଗୋଟିଏ ପାଖରେ ସରକାର ଚୁକ୍ତି ଯୁଗର ଅବସାନ ଘୋଷଣା କରି ବାହା ବାହା ନେଇ ଅଣଚୁକ୍ତିରେ ରାଜ୍ୟର ଶିକ୍ଷକ ଆଶାୟୀ ମାନଙ୍କୁ ଗୋତି ଭଳି ବ୍ଯବହାର କରୁଛନ୍ତି ବୋଲି ଖୋଲାଖୋଲି ଆରୋପ ଉଠାଇଛନ୍ତି । ପୁନଶ୍ଚ ବିଗତ ଦିନରେ ଶିକ୍ଷକ ଆଶାୟୀ ମାନଙ୍କୁ ୨୦୧୬ରୁ ନିଯୁକ୍ତିର ସୁଯୋଗ ନଦେଇ ସେମାନଙ୍କର ଅସହାୟତା ଏବଂ ଦୁର୍ବଳତା ସୁଯୋଗ ନେବା ବାସ୍ତବିକ ଭାବରେ ଗ୍ରହଣୀୟ ନୁହେଁ ବୋଲି ପ୍ରକାଶ କରିଛନ୍ତି ।
ଏହାଛଡ଼ା ସରକାରଙ୍କର ବେସରକାରୀ ବିଦ୍ୟାଳୟ ପ୍ରତି ରହିଥିବା ଚୋରାପ୍ରୀତି କାରଣରୁ ଆବେଦନକାରୀ ମାନଙ୍କ ଚୟନ ପ୍ରକ୍ରିୟାରେ ଶୈକ୍ଷିକ ଅଭିଜ୍ଞତାକୁ ମଧ୍ୟ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଥିବା ଅଭିଯୋଗ କରିବା ସହ ଆଶାୟୀ ଶିକ୍ଷକ ପ୍ରାର୍ଥୀ ମାନଙ୍କୁ ପରବର୍ତ୍ତୀ ସମୟରେ ଅଭିଜ୍ଞତା ସଂଗ୍ରହ ଆଳରେ ବେସରକାରୀ ବିଦ୍ୟାଳୟର ମାୟାଜାଲ ଭିତରେ ଛନ୍ଦିଦେବା ପାଇଁ ଏହା ଏକ ଗମ୍ଭୀର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଶେଷରେ ବିଗତ ଦିନରେ ଏହି ନିର୍ଦ୍ଦିଷ୍ଟ ବିଭାଗ ପକ୍ଷରୁ ହୋଇଥିବା ନିଯୁକ୍ତିରେ ଅନେକ ଜିଲ୍ଲାରେ ଜିଲ୍ଲା ମଙ୍ଗଳ ଅଧିକାରୀ ମାନଙ୍କ ବିରୋଧରେ ଉଠିଥିବା ପ୍ରିୟା ପ୍ରିତୀ ତୋଷଣ ଭଳି ଅନେକ ସଙ୍ଗୀନ ଆରୋପ ଗୁଡ଼ିକର ଏଯାବତ୍ କୌଣସି ଖୁଲାସା ହୋଇ ପାରିନଥିବା ପରିପ୍ରେକ୍ଷୀରେ ପୁନଶ୍ଚ ସେହି ଅଧିକାରୀ ମାନଙ୍କୁ ଚୟନ ପ୍ରକ୍ରିୟାର ଦାୟିତ୍ଵ କିପରି ଦିଆଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁସାରେ ଶିକ୍ଷକ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟ ବୋଲି ମାନଦଣ୍ଡ ସ୍ଥିର କରିଥିବା ବେଳେ ବର୍ତ୍ତମାନ ସେ ନିୟମାବଳୀ ସମ୍ପର୍କରେ କୌଣସି ଉଲ୍ଲେଖ ନ ରଖି କିଭଳି ନିଯୁକ୍ତି ଦେବାକୁ ଯାଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ସର୍ବୋପରି ଏହି ଜରିଆରେ ବହୁ ସ୍ତରୀୟ ଶିକ୍ଷକଙ୍କ ସତ୍ତ୍ଵେ ଏହା ଶିକ୍ଷକ ସମାଜ ପାଇଁ ଏକ ନୂତନ କାଳିମା ଅଧ୍ୟାୟ ବିଶିଷ୍ଟ ସ୍ତର ଭାବେ ପ୍ରତିଭାତ ହେବାକୁ ଯିବା ନିଶ୍ଚିତ ଭାବେ ଏକ କଳଙ୍କ ବୋଲି କହିଛନ୍ତି ।