ଘର ଢିଙ୍କି କୁମ୍ଭୀର: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟାକାଣ୍ଡ ପଛରେ ନିଜ ପୁତୁରା ଓ ଝିଆରୀ, ମୋଟ ୯ ଜଣଙ୍କୁ ଗିରଫ କରିଛି ପୋଲିସ…

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନାରକୀୟ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ପଛରେ କୌଣସି ବାହାର ଲୋକ ନୁହଁନ୍ତି, ବରଂ ସୁଧୀରଙ୍କ ନିଜ ପରିବାରର ସଦସ୍ୟ ଥିବା ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ସୁଧୀରଙ୍କ ପୁତୁରା ତୁଷାର ପାତ୍ର ଏବଂ ଝିଆରୀ ନିବେଦିତା ପାତ୍ର ମିଶି ତାଙ୍କୁ ରାସ୍ତାରୁ ହଟାଇବାକୁ ଏହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ଏହି ହତ୍ୟାକାଣ୍ଡରେ ନିବେଦିତାର ପ୍ରେମିକ କାଳୁଚାରଣ ପ୍ରଧାନ ସହଯୋଗୀ ସାଜିଥିଲା। କାଳୁ ସୁରଟର କିଛି ପେଶାଦାର ଅପରାଧୀଙ୍କ ସହ ଯୋଗାଯୋଗ କରି ସୁଧୀରଙ୍କୁ ମାରିବା ପାଇଁ ସୁପାରି ଦେଇଥିଲା। ଉତ୍ତରପ୍ରଦେଶ ବାରାଣସୀର ସୂର୍ଯ୍ୟପ୍ରତାପ ସିଂ ଓରଫ ଗୋଲୁ ନାମକ ଜଣେ ଅପରାଧୀ ଏହି ସୁପାରି ନେଇଥିଲା। ଗୋପାଳପୁର ବେଳାଭୂମିରେ ନିବେଦିତା, ତୁଷାର ଓ କାଳୁ ଏକାଠି ହୋଇ ସମସ୍ତ ଯୋଜନା କରିଥିଲେ। ସୁଧୀର ଭଲି ଖେଳୁଥିବା ସମୟରେ ନିବେଦିତା ହିଁ ତାଙ୍କୁ ଗୋଲୁ ପାଖରେ ଚିହ୍ନଟ କରାଇଥିଲା। ଗତ ୧୫ ତାରିଖ ସନ୍ଧ୍ୟାରେ ଏକ ବୋଲେରୋ ଯୋଗେ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ଗାଡ଼ି ଖରାପ ହେବାରୁ ପରେ ଏକ ହ୍ୟୁଣ୍ଡାଇ ଭେନ୍ୟୁ ଗାଡିରେ ତାଙ୍କୁ ବାଲିଗୁଡା କାକୁଡ଼ି ଛକ ଦେଇ ରାମପାଦ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ଅଭିଯୁକ୍ତମାନେ ମଦ ପିଇବା ପରେ ସୁଧୀରଙ୍କୁ ନିର୍ଦ୍ଦୟ ଭାବେ ପିଟାପିଟି କରିଥିଲେ। ଏହାପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୨ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ଟଙ୍କା ଓ ସୁନା ନେଇ ପତ୍ନୀ ପହଞ୍ଚିବା ପୂର୍ବରୁ ସୁଧୀରଙ୍କ ମୃତ୍ୟୁ ହୋଇସାରିଥିଲା। ଫଳରେ ଅଭିଯୁକ୍ତମାନେ ଶବକୁ ସୋରଡ଼ା ଗାଜଲବାଡ଼ି ରାସ୍ତାର ରାସିପଙ୍କାଳ ଶଙ୍ଖ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ପରେ ତୁଷାର ଓ ନିବେଦିତାଙ୍କ ହାବଭାବକୁ ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ଜେରା ସମୟରେ ପ୍ରଥମେ ଦୋଷ ସ୍ୱୀକାର କରୁ ନଥିଲେ ମଧ୍ୟ ପରେ ପୁଲିସ ଆଗରେ ସବୁ ସତ ମାନିଥିଲେ। ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋଲୁକୁ ସୁରଟରୁ ଗିରଫ କରିଥିବା ବେଳେ ଅନ୍ୟ ୮ ଜଣ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଧରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
