
ପ୍ରାୟ ୮ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ
ବ୍ରହ୍ମପୁର, ଅପ୍ରେଲ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ଏହି କ୍ରମରେ ନୂତନ ୩୩କେଭି ଫିଡର ଲାଇନ ପ୍ରତିଷ୍ଠା ହେବା ସହ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ରେଲୱେ ଗେଟ୍ (ଶିବ ମନ୍ଦିର ସନ୍ନିକଟ) ଠାରୁ ରାନିଗୁଡ଼ା ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍) ପର୍ଯ୍ୟନ୍ତ ଏହି ନୂତନ ଲାଇନ ସଂଯୁକ୍ତ ହୋଇଛି। କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଫଳରେ ଅଞ୍ଚଳର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରା ହେବା ସହିତ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହେବ।
ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଫିଡର ଲାଇନରେ ୬ ସର୍କିଟ କିଲୋମିଟର ଓଭରହେଡ୍ ଲାଇନ୍ ରହିବା ସହ ୧୧୦ମିଟର ଭୂତଳ କେବୁଲ ଲାଇନ ଅନ୍ତର୍ଭୁକ୍ତ ରହିଛି। ରାୟଗଡ଼ା ରେଲୱେ ଗେଟ୍ ରୁ ଏହି ଲାଇନ୍ ଆରମ୍ଭ ହୋଇଛି ଓ ରାନିଗୁଡ଼ା ପିଏସ୍ଏସ୍ ରେ ସମାପ୍ତ ହୋଇଛି। ଯାହା ସବଷ୍ଟେସନକୁ ୩୩କେଭି ସ୍ଥିର ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଦାନ କରୁଛି।
ରାନିଗୁଡ଼ା ପିଏସ୍ଏସ୍ ରୁ ଦୁଇଟି ଆଉଟଗୋଇଙ୍ଗ୍ ୧୧କେଭି ଫିଡର ଯଥାକ୍ରମେ ଚେକାଗୁଡ଼ା ଏବଂ ରାନିଗୁଡ଼ା ମାଧ୍ୟମରେ ବିଦ୍ୟୁତ ଯୋଗାଣ ହୋଇଥାଏ। ଚେକାଗୁଡ଼ା ଫିଡର ଚେକାଗୁଡ଼ା, ବିଦ୍ୟାନଗର ଅଞ୍ଚଳ ସମେତ ଟାଉନ୍ – ୩ ଫିଡରକୁ ମଧ୍ୟ ସମର୍ଥନ ଯୋଗାଇଥାଏ। ସେହିଭଳି ରାନିଗୁଡ଼ା ଫିଡର ରାନିଗୁଡ଼ା ଫାର୍ମ, ଗୌତମ ନଗର, ହାଥୀପତର ରୋଡ୍ ସହିତ ଟାଉନ୍ – ୪ ଫିଡରକୁ ବିଦ୍ୟୁତ ଯୋଗାଣ କରିଥାଏ। ପୂର୍ବରୁ ଟାଉନ୍ – ୩ ଏବଂ ଟାଉନ୍ -୪ ଫିଡର ରାୟଗଡ଼ା ଟାଉନ୍ ନମ୍ବର -୨ ସେକ୍ସନର ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଯୋଗାଉଥିଲା। ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ଫିଡର ଫଳରେ ସ୍ଥିର ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସମସ୍ତ ଚାରିଟି ଫିଡରରେ ସୁନିଶ୍ଚିତ ହୋଇ ପାରିଛି।
କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଫଳରେ ପ୍ରାୟ ୮ ହଜାର ଉପଭୋକ୍ତା ଉପକୃତ ହୋଇଛନ୍ତି। ଏଥିସହିତ ଭୋଲ୍ଟେଜରେ ସ୍ଥିରତା ଆସିବା ସହିତ ଫିଡର ଉପରେ ଥିବା ଲୋଡ୍ ହ୍ରାସ ପାଇଛି । ସେହିଭଳି ଅଞ୍ଚଳର ଘରୋଇ ଉପଭୋକ୍ତା, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଜରୁରୀକାଳୀନ ସେବାକୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି।
ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ। ରାୟଗଡ଼ା ଜିଲ୍ଲାର ଏହି ନୂତନ ୩୩ କେଭି ଫିଡର ଲାଇନ ଯୋଗାଣରେ ସ୍ଥିରତା, ଲୋଡ୍ ହ୍ରାସ ସହିତ ସେବାରେ ନିର୍ଭରଶୀଳତା ଆଣିବ ଯାହା ଯୋଗୁଁ ହଜାର ହଜାର ଉପଭୋକ୍ତା ଉପକୃତ ହେବେ” ।
ଟିପିଏସ୍ଓଡିଏଲ୍ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ। ଏଥିସହିତ ରାୟଗଡ଼ା ସହର ସହ ଆଖପାଖ ଅଞ୍ଚଳର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରା କରିବାରେ ସମର୍ଥ ହେବ।
