
ନୂଆଦିଲ୍ଲୀ: ଲୋକଙ୍କ ଦ୍ୱାରା ନିର୍ବାଚିତ ଦିଲ୍ଲୀର ଆପ୍ ସରକାର ଓ କେନ୍ଦ୍ର ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ କାମରେ ଦିଲ୍ଲୀ ଉପ ରାଜ୍ୟପାଳ ହସ୍ତକ୍ଷେପ କରୁଥିବାରୁ ନିର୍ବାଚିତ ସରକାର ଠିକ୍ ଭାବେ କାମ କରିପାରୁ ନଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ସେ ଆଜି ଏହି ପ୍ରସଙ୍ଗରେ ଦିଲ୍ଲୀ ବିଧାନସଭାରେ ମତ ରଖି ଉପ ରାଜ୍ୟପାଳ ଭିକେ ସକ୍ସେନା ସହରର ଗରିବ ପିଲାମାନେ ଭଲ ଶିକ୍ଷା ପାଆନ୍ତୁ ବୋଲି ଚାହୁଁ ନଥିବା କେଜ୍ରିୱାଲ କହିଛନ୍ତି।
ସେ କହିଛନ୍ତି, “ଉପ ରାଜ୍ୟପାଳ ଯେଉଁଭଳି ମୋ ଫାଇଲକୁ ଯାଞ୍ଚ କରୁଛନ୍ତି, ମୋ ସ୍କୁଲ ଶିକ୍ଷକ ମଧ୍ୟ କେବେ ହେଲେ ମୋ ହୋମୱାର୍କକୁ ତନତନ କରି ଦେଖି ନଥିଲେ। ଉପ ରାଜ୍ୟପାଳ ମୋ ପ୍ରଧାନ ଶିକ୍ଷକ ନୁହନ୍ତି। ଲୋକମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି।
ଉପ ରାଜ୍ୟପାଳ ଗୋଟିଏ ମିଟିଂରେ ମୋତେ କହିଥିଲେ ଯେ ଏମସିଡି ନିର୍ବାଚନରେ ବିଜେପି ତାଙ୍କ ପାଇଁ ୧୦୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି ଓ ଆସନ୍ତା ସାଧାରଣ ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ଜିତିବ।
ଉପ ରାଜ୍ୟପାଳ ନିମ୍ନ ମାନସିକତା ରଖିଛନ୍ତି ଓ ସେ ଗରିବ ପିଲାମାନେ ଭଲ ଶିକ୍ଷା ପାଆନ୍ତୁ ବୋଲି ଚାହୁଁନାହାନ୍ତି। ଉପ ରାଜ୍ୟପାଳ କିଏ? ସେ କେଉଁଠୁ ଆସିଛନ୍ତି? ସେ ଆମ ମୁଣ୍ଡ ଉପରେ ବସିଛନ୍ତି। ଆମେ ଆମ ପିଲାମାନଙ୍କୁ କେଉଁଠି ପାଠପଢ଼ାଇବୁ, ସେକଥା କ’ଣ ସେ ନିଷ୍ପତ୍ତି ନେବେ? ଏପରି ନିମ୍ନ ମାନସିକତା ରଖିଥିବା ଲୋକଙ୍କ ପାଇଁ ଆମ ଦେଶ ପଛରେ ପଡ଼ୁଛି।
ଜୀବନରେ କିଛି ବି ସ୍ଥାୟୀ ନୁହେଁ। ଆମେ ଆସନ୍ତାକାଲି କେନ୍ଦ୍ରରେ କ୍ଷମତା ଦଖଲ କରିପାରୁ। ଆମର ଉପ ରାଜ୍ୟପାଳ ଆସିବେ। କିନ୍ତୁ ଆମ ସରକାର କେବେ ହେଲେ ଲୋକଙ୍କୁ ହଇରାଣ କରିବେ ନାହିଁ। ନିଜ ଇଚ୍ଛାରେ ନିଷ୍ପତ୍ତି ନେବାକୁ ଉପ ରାଜ୍ୟପାଳଙ୍କ ପାଖରେ କୌଣସି ଅଧିକାର ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପୁଲିସ, ଜମି ଓ ଶାନ୍ତିଶୃଙ୍ଖଳାକୁ ଛାଡ଼ି ଆଉ କୌଣସି ପ୍ରସଙ୍ଗରେ ସେ ନିଷ୍ପତ୍ତି ନେଇପାରିବେ ନାହିଁ।”
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଦେଶରେ ପଢ଼ୁଥିବା ବିଜେପି ସାଂସଦ, ବିଧାୟକ ଓ ମନ୍ତ୍ରୀମାନଙ୍କ ପିଲାଙ୍କ ତାଲିକା ଦେଖାଇଛନ୍ତି।