ପରିସ୍ରା ଘଟଣା ପାଇଁ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା…

add-all

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ମାସରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ‘ଦି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରିଛି।
ଏହି ଘଟଣା ନିମନ୍ତେ ‘ପାଇଲଟ୍‌-ଇନ୍‌-କମାଣ୍ଡ୍‌’ଙ୍କୁ ମଧ୍ୟ ୩ ମାସ ପାଇଁ ନିଲମ୍ବିତ କରାଯାଇଛି। ସରକାରଙ୍କ ଅନୁମୋଦିତ ନିୟମାବଳୀ ପାଳନ କରିବାରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଏୟାର୍‌ ଇଣ୍ଡିଆର ‘ଡାଇରେକ୍ଟର୍‌-ଇନ୍‌-ଫ୍ଲାଇଟ୍‌ ସର୍ଭିସେସ୍‌’ର ଆକାଉଣ୍ଟେବଲ୍‌ ମ୍ୟାନେଜର୍‌, ସମସ୍ତ ପାଇଲଟ୍‌ ଏବଂ କେବିନ୍‌ କ୍ରୁ’ ମେମ୍ବର୍‌ମାନଙ୍କୁ ‘ଡିଜିସିଏ’ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।
ଏୟାର୍‌ ଇଣ୍ଡିଆ ଓ ଏହି ଘଟଣା‌ରେ ସମ୍ପୃକ୍ତ ଥିବା କର୍ମଚାରୀମାନେ ଦାଖଲ କରିଥିବା ଲିଖିତ ଉତ୍ତରଗୁଡ଼ିକୁ ‘ଡିଜିସିଏ’ ସମୀକ୍ଷା କରିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ‘ଏୟାର୍‌ ଇଣ୍ଡିଆ’ ବିମାନ ‘ଏଆଇ ୧୦୨’ ଉପରୋକ୍ତ ଘଟଣାଟି ଘଟିଥିଲା। ମଧ୍ୟାହ୍ନ ଭୋଜନ ଶେଷରେ ବିମାନର ଲାଇଟ୍‌ ସବୁ ଲିଭାଇ ଦିଆଯିବା ପରେ ନିଶାସକ୍ତ ବ୍ୟକ୍ତିଜଣକ ଉକ୍ତ ବିମାନର ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଯାଉଥିବା ଜଣେ ୭୨ ବର୍ଷୀୟ ବୃଦ୍ଧାଙ୍କ ସିଟ୍‌ ନିକଟକୁ ଯାଇ ପ୍ୟାଣ୍ଟ୍‌ ଜିପର୍‌ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ।
ଏଭଳି ପରିସ୍ଥିତିରେ କ୍ୟାବିନ୍‌ କ୍ରୁ’ମାନଙ୍କ ଉଦାସୀନତା କଥା ଉଲ୍ଲେଖ କରି ପୀଡ଼ିତା ମହିଳାଜଣକ ‘ଟାଟା ଗ୍ରୁପ୍‌’ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଅଭିଯୋଗ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା। ଅପରାଧୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିମାନର ପରିଚାରକମାନେ ମହିଳାଙ୍କୁ ପୋଷାକ ପାଲଟିବାକୁ ହଳେ ପାଇଜାମ ଓ ଚପଲ ଦେଇଥିଲେ।

ad-week
Leave A Reply

Your email address will not be published.