୫-ଟି ରୂପାନ୍ତରଣ ହେବ ସବୁ ଡିଏଚ୍‌ଏଚ୍‌…

add-all

ଭୁବନେଶ୍ୱର: ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ। ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ ରୂପାନ୍ତରଣ ହେବ ତାହା ନିଷ୍ପତ୍ତି ହୋଇସାରିଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଯାଇଛି। ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌୍‌), ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବ।

ସେହିପରି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ହସ୍ପିଟାଲ ମଧ୍ୟ ରୂପାନ୍ତରଣ ହେବ। ତେବେ ଡିଏଚ୍‌ଏଚ୍‌୍‌, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଉ ଅତିରିକ୍ତ ହସ୍ପିଟାଲ ରୂପାନ୍ତରଣ ହେବ ନାହିଁ। ବିଧାନସଭା ନିର୍ବାଚନ ମଣ୍ଡଳୀରେ କେଉଁ ହସ୍ପିଟାଲ ହେବାକୁ ଯୋଗ୍ୟ ହେବ ସେ ନେଇ ମଧ୍ୟ ମାନଦଣ୍ଡ ରହିଛି। ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଏଫ୍‌ଆର୍‌ୟୁ (ଫାଷ୍ଟ ରେଫରାଲ ୟୁନିଟ୍‌)କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ। ଯଦି ସେହି ଏଫ୍‌ଆର୍‌ୟୁ ଚଳିତବର୍ଷ ରୂପାନ୍ତରଣ ହେବା ପାଇଁ ଯୋଗ୍ୟ ନ ଥିବ ତେବେ ସେହି ନିର୍ବାଚନମଣ୍ଡଳୀର କୌଣସି ଗୋଟିଏ ଏସ୍‌ଡିଏଚ୍‌ କିମ୍ବା ସିଏଚ୍‌ସିକୁ ମନୋନୀତ କରାଯାଇପାରିବ। ଯେଉଁ ନିର୍ବାଚନ ମଣ୍ଡଳୀରେ ଏଫ୍‌ଆର୍‌ୟୁ ନ ଥିବ ସେଠାରେ ଯେଉଁ ଏସ୍‌ଡିଏଚ୍‌ କିମ୍ବା ସିଏଚ୍‌ସିକୁ ଅଧିକ ରୋଗୀ ଆସୁଥିବେ ତାକୁ ପ୍ରାଧାନ୍ୟ ଦିଆଯିବ। ଯେଉଁ ହସ୍ପିଟାଲଗୁଡ଼ିକର ବିଲ୍ଡିଂ ସିଭିଲ କାମ ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବ ତାହା ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇପାରିବ ନାହିଁ। ଯେଉଁ ହସ୍ପିଟାଲଗୁଡ଼ିକୁ ଅଧିକ ରୋଗୀ ଆସୁ ନ ଥିବେ ତାହା ମଧ୍ୟ ୫-ଟି ରୂପାନ୍ତରଣ ହୋଇପାରିବ ନାହିଁ। ତେଣୁ ନିର୍ବାଚନ ମଣ୍ଡଳୀର କେଉଁ ହସ୍ପିଟାଲ ରୂପାନ୍ତଣ ହେବ ତାହାର ତାଲିକା ଦେବା ପାଇଁ ଜିଲାପାଳମାନଙ୍କୁ ଚିଠିରେ କୁହାଯାଇଛି। ଏହି ତାଲିକା ଆସନ୍ତା ୫ଦିନ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.