ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

add-all

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଓ ହତ୍ୟା ଧମକ ଅଭିଯୋଗ ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଶୁକ୍ରବାର ଏକ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଏଲ୍‌ଓ) ପକ୍ଷରୁ ଗଠିତ ଏହି ୭ ଜଣିଆ କମିଟିରେ ମେରି କମ୍‌, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ, ସହଦେବ ଯାଦବ ଏବଂ ଦୁଇଜଣ ଓକିଲଙ୍କୁ ରଖାଯାଇଛି।

ଏହି କମିଟି ୪ ସପ୍ତାହ ମଧ୍ୟରେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। କ୍ରୀଡ଼ାମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ବେଳେ ଖେଳାଳିମାନେ ବ୍ରିଜ୍‌ ଭୂଷଣଙ୍କୁ ବହିଷ୍କାର କରିବା ନେଇ ନିଜ ଦାବି ଦୋହରାଇଥିଲେ। ଏହି ପ୍ରସଙ୍ଗର ତୁରନ୍ତ ସମାଧାନ ହୋଇଯିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏପରିକି ତଦନ୍ତ ଶେଷ ହେବା ଯାଏ ବ୍ରିଜ୍‌ ଭୂଷଣ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରେ ରହିବେ ନାହିଁ ବୋଲି ଅନୁରାଗ ବିଳମ୍ବିତ ରାତିରେ ସୂଚନା ଦେବା ପରେ ଖେଳାଳିମାନେ ବିକ୍ଷୋଭରୁ ଓହରି ଯାଇଥିଲେ। ତେବେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରି ନ ଥିବାରୁ ଶନିବାର ସକାଳେ କ୍ରୀଡ଼ାମନ୍ତ୍ରୀଙ୍କ ସରକାରୀ ବାସଭବନରେ ପୁନର୍ବାର ବୈଠକ ବସିବ।

ପ୍ରକାଶ ଯେ କୁସ୍ତି ଯୋଦ୍ଧାମାନେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ନୂଆଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ବ୍ରିଜ୍‌ ଭୂଷଣଙ୍କ ଇସ୍ତଫା ଦାବିରେ ଅଡ଼ିବସିଥିବାବେଳେ ସେ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏଥିସହ ସେ ମୁହଁ ଖୋଲିଲେ ସୁନାମି ଆସିବ ବୋଲି ଓଲଟା ଧମକ ଦେଇଥିଲେ।

ad-week
Leave A Reply

Your email address will not be published.