
ଦାରିଙ୍ଗବାଡ଼ି, ୨୨/୦୧ : ଗ୍ରାମାଞ୍ଚଳର ଗମନା ଗମନର ସୁବିଧା କରିବାକୁ ଯାଇ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରହିଛି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଆସୁଛନ୍ତି । ହେଲେ ଗ୍ରାମ ଉନ୍ନୟନ ବିଭାଗର ବେପରୁଆ ମନଭାବରୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା-କାଟିଙ୍ଗିଆ ରାସ୍ତା ଆଜି ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଝିଞ୍ଜିରିଗୁଡ଼ା ଠାରୁ କାଟିଙ୍ଗିଆ ରାସ୍ତାର ଦୂରତା ୧୨.୬୬କି.ମି ଅଟେ । ଏହି ରାସ୍ତା ଉପରେ ଝିଞ୍ଜିରିଗୁଡ଼ା, କୁମ୍ଭାରି ଗାଁ ଓ କାଟିଙ୍ଗିଆ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । ଏହି ୩ ଗୋଟି ଗ୍ରାମ ପଞ୍ଚାୟତର ବହୁ ଅଭିଯୋଗ ପରେ ୨୦୨୨ ରେ ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ପିଚୁ କାମ ଆରମ୍ଭ କରାଯାଇଥିଲା । ହେଲେ ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାଦାର ପ୍ରାୟ ୫କି.ମି ରାସ୍ତା ପିଚୁ କାମ କରି ଛାଡ଼ି ଦେଇଛନ୍ତି ଯାହାରି ଫଳରେ ବଳକା ୭କି.ମି ରାସ୍ତାର ପିଚୁ ଛାଡ଼ିଯାଇ ଗୁଡ଼ି ଉଠି ଖାଲ ଖମାରେ ପରିପୂର୍ଣ୍ଣ ହୋଇ ରହିଛି । ଚାରି ଚକିଆ ଯାନ ଯେମିତି ସେମିତି ରାସ୍ତାରେ ଯାତାୟାତ କରି ପାରୁଥିବା ବେଳେ ମୋଟର ବାଇକ ଓ ଅଟୋ ଯାତାୟତରେ ବାଧା ଉପୁଜିଛି । ମୁଖ୍ୟତଃ ଗ୍ରାମାଞ୍ଚଳର ଜନସାଧାରଣ ରୋଗ ବ୍ୟାଧି ଓ ଜରୁରୀ ପରିସ୍ଥିତିରେ ପ୍ରାୟତଃ ଅଟୋ ଉପରେ ନିର୍ଭର କରି ଆସୁଛନ୍ତି । ଅଞ୍ଚଳ ବାସୀଙ୍କ କହିବା କଥା ରୋଗୀ ଲୋକ, ବୃଦ୍ଧ ବୃଦ୍ଧା ଓ ଗର୍ଭବତୀ ମହିଳା ମାନେ ଚିକିତ୍ସା ପାଇଁ ଅଟୋ ରେ ବ୍ରାହ୍ମଣୀଗାଁ ଡାକ୍ଟର ଖାନାକୁ ଆସୁଥିବା ବେଳେ ରାସ୍ତା ଖରାପ ଯୋଗୁଁ ଛେଚି କଚୀ ହୋଇ ଅଧିକ ଦୁର୍ବଳ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି । ତିନି ଗୋଟି ଗ୍ରାମ ପଞ୍ଚାୟତ ବାସୀ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦାରିଂବାଡ଼ି, ନିର୍ବାହୀ ଯନ୍ତ୍ରୀ ବାଲିଗୁଡ଼ା ଓ ଜନପ୍ରତିନିଧିଙ୍କୁ ବହୁବାର୍ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ବ୍ରାହ୍ମଣୀଗାଁ ରେ ଗ୍ରାମ ଉନ୍ନୟନ ବିଭାଗର ସେକ୍ସନ ଅଫିସ୍ ରହିଥିବା ବେଳେ ୨୦୧୪ ସାଲ୍ ରୁ କନିଷ୍ଠ ଯନ୍ତ୍ରୀ କୁ ଆଜ ଯାଏଁ ନିଯୁକ୍ତି ଦିଆ ଯାଇ ନାହିଁ । ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦାରିଂବାଡ଼ି କାର୍ଯ୍ୟାଳୟ ଠାରୁ ବ୍ରାହ୍ମଣୀଗାଁ ସେକ୍ସନ ଅଫିସ୍ ର ଦୂରତା ପ୍ରାୟ ୪୦କି.ମି । ଖବର ନେବାରୁ ଜଣା ପଡ଼ିଛି ଯେ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଜଣେ ମାତ୍ର କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇ ଦାରିଂବାଡ଼ି ଓ ବ୍ରାହ୍ମଣୀଗାଁ ସେକ୍ସନ ଦାୟିତ୍ୱରେ ରହିଛନ୍ତି । ଯାହାରି ଫଳରେ ଉପାନ୍ତ ଅଞ୍ଚଳର ରାସ୍ତା ତଦାରଖ କରି ପାରୁ ନଥିବା ଜଣା ପଡ଼ିଛି । ଅତି ଶୀଘ୍ର ଗ୍ରାମ ଉନ୍ନୟନ ବିଭାଗର ବ୍ରାହ୍ମଣୀଗାଁ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କରବା ସହିତ ଝିଞ୍ଜିରିଗୁଡ଼ା-କାଟିଙ୍ଗିଆ ରାସ୍ତାର ବକେୟା ଥିବା ପ୍ରାୟ ଦୀର୍ଘ ୭କି.ମି ରାସ୍ତା ପିଚୁ ପକେଇ ପକ୍କା କରାଯିବାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଜିଲ୍ଲପାଳଙ୍କ ନିକଟରେ ତିନି ଗୋଟି ପଞ୍ଚାୟତର ଜନସାଧାରଣ ଦାବୀ ରଖିଛନ୍ତି ।