
ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ଅଧିକ ଗୋଳିଆ ହେବାରେ ଲାଗିଛି। ସୋମବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଏସ ସୋଧି କେନ୍ଦ୍ର ଆଇନମନ୍ତ୍ରୀ କରେନ ରିଜିଜୁଙ୍କୁ ପରାମର୍ଶ ଦେଇ ‘ମୋ କାନ୍ଧରେ ବନ୍ଧୁ ରଖି ଗୁଳି ଚଲାନ୍ତୁ ନାହିଁ” ବୋଲି କହିଛନ୍ତି।
ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଦେଶର ସମ୍ବିଧାନକୁ ହାଇଜ୍ୟାକ କରି ନେଇଥିବା ଜଷ୍ଟିସ ସୋଧି ଗୋଟିଏ ସାକ୍ଷାତକାରରେ କହିଥିଲେ। ଏହାକୁ ଶେୟାର କରି ଆଇନମନ୍ତ୍ରୀ ରିଜିଜୁ କଲେଜିୟମ ଓ ସୁପ୍ରିମକୋର୍ଟକୁ ତେର୍ଚ୍ଛାବାଣ ମାରିଥିଲେ। ଏଥିସହ ବିଚାରପତି ନିଯୁକ୍ତିରେ କେନ୍ଦ୍ରର ଭୂମିକା ରହିବା ଜରୁରୀ ବୋଲି ପୁଣିଥରେ ଦୋହରାଇବାକୁ ଚେଷ୍ଟା କରିଥିଲେ।
ସେ ଜଷ୍ଟିସ ସୋଧିଙ୍କ ବୟାନକୁ ନେଇ ବାଣ ମାରିଥିବାରୁ ଏହାକୁ ନାପସନ୍ଦ କରାଯାଇଛି। ନିଜେ ଜଷ୍ଟିସ ସୋଧି କହିଛନ୍ତି, “ଏହି ପ୍ରସଙ୍ଗ ଉଠାଇବାରୁ ମୁଁ ଆଇନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ମୁଁ ଜଣେ ରାଜନୀତିକ ବ୍ୟକ୍ତିବିଶେଷ ନୁହେଁ। ମୋ କାନ୍ଧରେ ବନ୍ଧୁକ ରଖି ଗୁଳି ଚଲାନ୍ତୁ ନାହିଁ। ମୋର ବ୍ୟକ୍ତିଗତ ମତ ହେଲା କଲେଜିୟମ ବ୍ୟବସ୍ଥା ଅସାମ୍ବିଧାନିକ।
ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ସେକ୍ରେଟେରିଏଟ ରହିବା ଉଚିତ। କେମିତି କିଛି ବିଚାରପତି ମିଳିତ ଭାବେ ଅନ୍ୟ ବିଚାରପତିଙ୍କ ନିଯୁକ୍ତି କରିବେ? କେମିତି ୨ରୁ ୩ ଜଣ ବିଚାରପତି ମିଳିତ ଭାବେ ନିଷ୍ପତ୍ତି ନେବେ? କଲେଜିୟମ ବ୍ୟବସ୍ଥା ଫେଲ ମାରିଛି। କିନ୍ତୁ ସାମ୍ବିଧାନିକ ସଂସ୍ଥା ଖୋଲାଖୋଲି ଭାବେ ବିଚାରପତି ନିଯୁକ୍ତିକୁ ସମାଲୋଚନା କରିବା ଉଚିତ ନୁହେଁ।”
ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧରେ ନିଜ ପକ୍ଷ ରଖି ଜଷ୍ଟିସ ସୋଧି କହିଛନ୍ତି, “ଆଇନ ତିଆରି କରିବାରେ ସଂସଦ ସବୁଠାରୁ ଉପରେ। କିନ୍ତୁ ଏହି ଆଇନକୁ ତର୍ଜମା କରିବା ପାଇଁ ସୁପ୍ରିମକୋର୍ଟ ସକ୍ଷମ।”
ରବିବାର ଜଷ୍ଟିସ ସୋଧିଙ୍କ ଇଣ୍ଟରଭ୍ୟୁର ଭିଡିଓ କ୍ଲିପକୁ ଶେୟାର କରି ଆଇନମନ୍ତ୍ରୀ ରିଜିଜୁ କହିଥିଲେ, “ଜଣେ ବିଚାରପତିଙ୍କ ବୟାନ। ଭାରତୀୟ ଗଣତନ୍ତ୍ରର ସଫଳ ସୁନ୍ଦରତା ଏହି ବୟାନରୁ ସ୍ପଷ୍ଟ ହୋଇଛି। ଜନତା ନିଜର ପ୍ରତିନିଧିଙ୍କ ମାଧ୍ୟମରେ ନିଜକୁ ଶାସନ କରନ୍ତି। ନିର୍ବାଚିତ ପ୍ରତିନିଧିମାନେ ସବୁବେଳେ ଲୋକଙ୍କ ହିତ ପାଇଁ ପ୍ରତିଶ୍ରୁତିବଦ୍ଧ। ସେମାନେ ଆଇନ ପ୍ରଣୟନ କରନ୍ତି।
ଆମ ନ୍ୟାୟପାଳିକା ସ୍ୱତନ୍ତ୍ର। କିନ୍ତୁ ସମ୍ବିଧାନ ସର୍ବୋଚ୍ଚ ସ୍ଥାନରେ ରହିଛି। ପ୍ରକୃତରେ ଅଧିକାଂଶ ଲୋକଙ୍କ ବିଚାର ଏହି ପ୍ରସଙ୍ଗରେ ସମାନ ଓ ଅତ୍ୟନ୍ତ ସୁନ୍ଦର। ଏହି କଥାକୁ ସେହିମାନେ ବିରୋଧ କରୁଛନ୍ତି ଯେଉଁମାନେ ସମ୍ବିଧାନର ପ୍ରାବଧାନ ଓ ଲୋକଙ୍କ ଜନାଦେଶକୁ ମାନନ୍ତି ନାହିଁ ଓ ନିଜକୁ ଭାରତର ସମ୍ବିଧାନ ଉପରେ ବୋଲି ବିଚାର କରନ୍ତି।” ବାସ୍ ରିଜିଜୁଙ୍କ ଏହି ବୟାନ ପରେ ଜଷ୍ଟିସ ସୋଧି ନିଜର ପକ୍ଷ ରଖିଛନ୍ତି।