ହକି ବିଶ୍ବକପ୍‌: ଫ୍ରାନ୍ସ ବିପକ୍ଷରେ ଜର୍ମାନି ୫-୧ ଗୋଲ୍‌ରେ ଜିତି କ୍ବାର୍ଟର ଫାଇନା‌ଲରେ ପ୍ରବେଶ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନି ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଜର୍ମାନି ୫-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଜର୍ମାନି ଆସନ୍ତା ୨୫ ତାରିଖରେ ଇଂଲଣ୍ଡକୁ ମୁକାବିଲା କରିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।
ଆଜି ଜର୍ମାନିର ଖେଳାଳିମାନେ ଫ୍ରାନ୍ସ ବିପକ୍ଷରେ ଭଲ ଖେଳିଥିଲେ। ସେମାନେ ମୋଟ୍‌ ୫ଟି ଗୋଲ୍‌ ଦେଇଥିଲେ। ଏଥିରୁ ୩ଟି ଫିଲ୍ଡ ଗୋଲ୍‌ ଥିଲା ବେଳେ ଅନ୍ୟ ୨ଟି ପେନାଲ୍ଟି ଥିଲା। ଦଳର ମାର୍କୋ ମିଲ୍ଟକାଉ ୧୪ ମିନିଟରେ ପ୍ରଥମ ଗୋଲ ଦେଇ ନିଜ ଦଳକୁ ଆଗୁଆ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଜର୍ମାନି ମାତ୍ର ୬ ମିନିଟ ଭିତରେ ୩ଟି ଗୋଲ୍‌ ଦେଇଥିଲା। ନିକଲାସ ୱେଲେନ୍‌, ମେଟ୍‌ସ ଗ୍ରାମବୁସ ଓ ମୋର୍ତିଜ୍‌ ଟୋମ୍ପେର୍ଟଜ୍‌ ଯଥାକ୍ରମେ ୧୮, ୨୩ ଓ ୨୪ ମିନିଟ୍‌ରେ ଫ୍ରାନ୍ସକୁ ଗୋଲ୍‌ ଦେଇଥିଲେ। ଜବାବରେ ଫ୍ରାନ୍ସ ଏକ ମାତ୍ର ଗୋଲ୍‌ ଦେଇଥିଲା। ଏହା ଫ୍ରାନକୋଇସ ଗୋୟେଟ୍‌ ୫୭ ମିନିଟ୍‌ରେ ଦେଇଥିଲେ। ଶେଷ ସମୟରେ ଜର୍ମାନି ତରଫରୁ ଗୋଞ୍ଜାଲୋ ପେଇଲାଟ୍‌ ୫୯ ମିନିଟରେ ଏକ ଗୋଲ୍‌ ଦେଇଥିଲେ।
ତେବେ ପୂର୍ବଦିନ ଭଳି କଳିଙ୍ଗ ଷ୍ଟାଡିୟମରେ ଆଜି ହକିପ୍ରେମୀମାନେ ଉତ୍ସାହିତ ନଥିଲେ। ଭାରତ ଗତକାଲି ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ପରେ ଆଜି ଦର୍ଶକଙ୍କ ସଂଖ୍ୟା ଢେର ଗୁଣରେ ହ୍ରାସ ପାଇଥିବା ଅନୁମାନ କରାଯାଇଥିଲା। ଗ୍ୟାଲେରିଗୁଡ଼ିକରେ ପଡ଼ିଥିବା ଚୌକିଗୁଡ଼ିକ ଅଧିକାଂଶ ଖାଲି ପଡ଼ିଥିଲା।

ad-week
Leave A Reply

Your email address will not be published.