
ବ୍ରହ୍ମପୁର : ଯୁବ ସାମ୍ବାଦିକ ଚିରଜିଂତ୍ ରାଜଗୁରୁଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକ ସଭାରେ ଅତିଥି ଭାବେ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ଯୋଗଦେଇ ସ୍ୱର୍ଗତ ଚିରଜିଂତ୍ ରାଜଗୁରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ବହୁ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାମ୍ବାଦିକ । ଖବରକୁ ଲୋକଲୋଚନକୁ ଆଣିବା ପାଇଁ ବହୁ କଷ୍ଟ କରିଥାନ୍ତି । ନିଜର କର୍ତବ୍ୟକୁ ଗୁରୁତ୍ୱ ଦେଇ ନିଜ ଜୀବନକୁ ବାଜି ଲଗାଇ ମଧ୍ୟ କାମ କରିଥାନ୍ତି ସାମ୍ବାଦିକ ମାନେ । ଏପରିକି ନିଜ ଶରୀରର ଯତ୍ନ ନେବାରେ ଅବହେଳା କରିଥାନ୍ତି । ଫଳରେ ଏଭଳି ଅକାଳରେ ବିୟୋଗ ଘଟିଥାଏ ବୋଲି ସେ ନିଜ ଉଦବୋଧନ ଦେଇଥିଲେ। ଏହି ଅବସରରେ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଆଜି ପ୍ରେସ୍ କ୍ଲବ୍ ପରିସରରେ ଆୟୋଜିତ ଏହି ଶୋକ ସଭାରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର, ହେମଙ୍ଗ ପ୍ରସାଦ ରାଉଳ, ମନୋଜକାନ୍ତ ଦାସ, ଅଶୋକ ବ୍ରହ୍ମା,ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ଼ ପ୍ରମୁଖ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମଂଚାସୀନ ରହିଥିଲେ । ବରିଷ୍ଠ ସାମ୍ବାଦିକ ସୁରଜିତ ପଣ୍ଡା, ଶିବରାମ ଚୌଧୁରୀ, ଜ୍ୟୋତିରଂଜନ ଦାସ, ଜି. ଗୋପାଳ ରେଡ଼ି, ଜି. ନାଗରାଜୁ ରାଓ, ଶ୍ରୀନିବାସ ରାଜଆନ୍ନା, ବିଶ୍ୱନାଥ ମାରଣା, ଖୀରସିନ୍ଧୁ ମହାନ୍ତି, ଆର୍ଶୀବାଦ ରାଉତ, ଶିବନାରାୟଣ ପଣ୍ଡା, ସତ୍ୟଚେତନ ପରିଡ଼ା, ଆଲୋକ ବେହେରା, ମନୋଜ ପଣ୍ଡା, ମୃତ୍ୟୁଞ୍ଜୟ ସାହୁ, ରାଧାଶ୍ୟାମ ଆଚାର୍ଯ୍ୟ, ଆଲୋକ ସାହୁଙ୍କ ସମେତ ବ୍ରହ୍ମପୁରର ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ପରେ ବ୍ରହ୍ମପୁର ଏସ୍ପି ସରବଣା ବିବେକ ଏମ୍ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।