ଗୁଜୁରାଟରେ ପ୍ରଶ୍ନ ପେପର୍‌ ଲିକ୍‌କୁ ନେଇ ହଙ୍ଗାମା, ଜୁନିଅର କ୍ଲର୍କ ପରୀକ୍ଷା ରଦ୍ଦ

add-all

ଅହମ୍ମଦାବାଦ : ପୁଣି ଲିକ୍‌ ହେଲା ପ୍ରଶ୍ନ ପେପର୍‌। ରଦ୍ଦ ହେଲା ଜୁନିଅର କ୍ଲର୍କ ପରୀକ୍ଷା। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍‌ସନ୍‌ ବୋର୍ଡ ତରଫରୁ ଜୁନିଅର୍‌ କ୍ଲର୍କ ପଦବୀ ପାଇଁ ଆଜି ହେବାକୁ ଥିବା ପରୀକ୍ଷା ହେବାର ଥିଲା। କିନ୍ତୁ ପ୍ରଶ୍ନ ପେପର୍‌ ଲିକ୍ ଯୋଗୁ ଏହାକୁ ରଦ୍ଦ କରାଯାଇଛି। ଏହି ଘଟଣାକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇଛି।
ଗୋଧ୍ରା ଓ ଜାମନଗରରେ ପରୀକ୍ଷାର୍ଥୀ ରାସ୍ତାକୁ ଓହ୍ଲାଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଏହି ବିରୋଧ ପ୍ରଦର୍ଶନ ନିଆଁରେ ଘିଅ ଢ଼ାଳିଛନ୍ତି। ପେପର୍‌ ଲିକ୍ ଘଟଣା ବିରୋଧରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍‌ କରି ଗୁଜରାଟରେ ପ୍ରାୟତଃ ସମସ୍ତ ପରୀକ୍ଷା ପେପର୍‌ ଲିକ୍‌ କାହିଁକି ହେଉଛି? ଯୁବପିଢ଼ିଙ୍କ ଭବିଷ୍ୟତକୁ ଏଭଳି କାହିଁକି ନଷ୍ଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।
ଗୁଜରାଟରେ ଆଜି ୩,୩୫୦ଟି ସ୍ଥାନରେ ଏହି ପରୀକ୍ଷା ହେବାର ଥିଲା। ପ୍ରାୟ ୯ ଲକ୍ଷ ୫୦ ହଜାରରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। ସକାଳ ୧୧ଟାରେ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ ହଠାତ୍‌ ପ୍ରଶ୍ନ ପେପର୍‌ ଲିକ୍‌ ହେବା ଯୋଗୁ ଉକ୍ତ ଜୁନିଅର୍‌ କ୍ଲର୍କ ପରୀକ୍ଷାକୁ ରଦ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରଶ୍ନ ପେପର୍‌ ଲିକ୍‌ ମାମଲାରେ ପୁଲିସ ବଡୋଦରାରୁ ୧୫ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟନରେ ରଖି ଏହି ପରୀକ୍ଷାକୁ ରଦ୍ଦ କରାଯାଇଥିବା ଗୁଜରାଟ ଏଟିଏସ୍‌ର ଏସ୍‌ପି ସୁନୀଲ ଯୋଶୀ କହିଛନ୍ତି। ପୁଣି ଥରେ ଏହି ପରୀକ୍ଷା କେବେ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପରୀକ୍ଷା ରଦ୍ଦ ହେବା ଯୋଗୁ ଲକ୍ଷ ଲକ୍ଷ ଯୁବପିଢ଼ି ନିରାଶ ହୋଇଛନ୍ତି।
ଏହାପୂର୍ବରୁ ରାଜସ୍ଥାନରେ ଗ୍ରେଡ-୨ ଶିକ୍ଷକ ଭର୍ତ୍ତିର ଜେନେରାଲ ନଲେଜ ପେପର୍‌ ଲିକ୍‌ ହୋଇଥିଲା। ଏହି ପରୀକ୍ଷା ପାଇଁ ପ୍ରାୟ ୧୩ ଲକ୍ଷ ଆଶାୟୀ ପ୍ରାର୍ଥୀ ରେଜିଷ୍ଟ୍ରେସନ୍‌ କରିଥିଲେ।

ad-week
Leave A Reply

Your email address will not be published.