୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ : ଶୃଙ୍ଖଳା ୧-୧..

add-all

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍‌କୁ ଶେଷ ବଲ୍‌ ବାକି ଥାଇ ୬ଟି ୱିକେଟ୍‌ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ୧୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭରରେ ୪ଟି ୱିକେଟ୍‌ ହରାଇ ହାସଲ କରିଛି। ଭାରତୀୟ ଖେଳାଳିମାନେ ୧୦୧ ରନ୍‌ ସଂଗ୍ରହ କରିଛନ୍ତି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ନିର୍ଣ୍ଣାୟକ ମୁକାବିଲା ଗୁଜରାଟର ଅହମଦାବାଦରେ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଖେଳାଯିବ।
ଭାରତ ପାଇଁ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ୩୧ ଟି ବଲ୍‌ ଖେଳି ଗୋଟିଏ ଚୌକା ବଳରେ ଏହି ରନ୍‌ କରି ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ଅମଳ ହୋଇଥିଲା। ପାଣ୍ଡ୍ୟା ମଧ୍ୟ ଗୋଟିଏ ଚୌକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର ଶୁବମନ୍‌ ଗିଲ ୧୧ ରନ୍‌, ଈଶାନ କିଶନ ୧୯ ରନ୍‌, ରାହୁଲ ତ୍ରିପାଠୀ ୧୩ ରନ୍‌ ଓ ୱାସିଂଟନ୍‌ ସୁନ୍ଦର ୧୦ ରନ୍‌ ସଂଗ୍ରହ କରିଥିଲେ। ପୂରା ମ୍ୟାଚ୍‌ରେ କୌଣସି ଖେଳାଳି ଛକା ମାରିପାରି ନଥିଲେ। ପୂରା ମ୍ୟାଚ୍‌ରେ ୧୪ଟି ଚୌକା ହୋଇଥିଲା। ଏଥିରୁ ଭାରତୀୟ ଖେଳାଳି ୮ଟି ଚୌକା ମାରିଥିଲେ।
ଏହା ପୂର୍ବରୁ ଭାରତ ଦମଦାର ବୋଲିଂ କରିଥିଲା। ଟିମ୍‌ ଇଣ୍ଡିଆର ସମସ୍ତ ବୋଲର ଭଲ ବୋଲିଂ ଓ ଫିଲ୍ଡିଂ କରିଥିଲେ। ଭାରତୀୟ ଟିମ୍‌ ୯୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ଅଟକାଇଥିଲା। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୯୯ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।
ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସଣ୍ଟନର ବ୍ୟକ୍ତିଗତ ଭାବେ ସର୍ବାଧିକ ୧୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମାର୍କ ଚାମ୍ପମ୍ୟାନ ଓ ମିଚେଲ ବ୍ରାସୱେଲ ୧୪-୧୪ ରନ୍‌ ‌ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ଫିନ୍‌ ଆଲେନ୍‌ ଓ ଡେୱନ କନ୍‌ୱେ ୧୧ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ହୁଦା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ad-week
Leave A Reply

Your email address will not be published.