
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ କମ୍ପାନିଜ୍ର ଅଂଶଧନ ଉପରେ ତଦନ୍ତ ଦାବି କରି ଆଜି କଂଗ୍ରେସ ‘ସଂସଦରୁ ସଡ଼କ ପର୍ଯ୍ୟନ୍ତ’ ପ୍ରତିବାଦ ଆରମ୍ଭ କରିଛି। ଅଦାନି ଗ୍ରୁପ୍ ବିରୋଧରେ ‘ୟୁଏସ୍ ସର୍ଟ-ସେଲର୍ ହିଣ୍ଡେନ୍ବର୍ଗ ରିସର୍ଚ’ର କରିଥିବା ଅଭିଯୋଗ ବିଷୟରେ ‘ମିଳିତ ସଂସଦ କମିଟି’ କିଂବା ‘ଅଦାଲତଙ୍କ ତତ୍ତ୍ବାବଧାନ’ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରୁଛି।
ଏଥିପାଇଁ କଂଗ୍ରେସ ଆଜି ଦେଶବ୍ୟାପୀ ‘ଜୀବନ ବୀମା ନିଗମ କାର୍ଯ୍ୟାଳୟ’ ଓ ‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା’ ସମ୍ମୁଖରେ ପ୍ରତିବାଦ ଚଳାଇଛି।
‘ଏନ୍ଏସ୍ୟୁଆଇ-ୟୁଥ୍ କଂଗ୍ରେସ୍’ ପ୍ରତିବାଦ ଚଳାଇଥିବାରୁ ‘ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍’ ମୁଖ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀରରେ କଂଗ୍ରେସ କର୍ମୀମାନେ ବାରିକେଡ୍ ଠେଲି ପୁଲିସ ଅଧିକାରୀମାନଙ୍କ ସହିତ ସଂଘର୍ଷ କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ କର୍ମୀମାନେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫିସ୍ ଆଡ଼କୁ ପଦଯାତ୍ରା କରିଥିବା ବେଳେ ମୁମ୍ବାଇ ଓ ଚେନ୍ନାଇରେ ମଧ୍ୟ ଅନୁରୂପ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।
ସେପଟେ, କଂଗ୍ରେସ ସାଂସଦମାନେ ସଂସଦ ଭବନ ପାଖରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ଚଳାଇଛନ୍ତି। ବିରୋଧୀ ନେତାମାନଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିରୋଧୀ ସାଂସଦମାନେ କହୁଛନ୍ତି କି, ସରକାର ଏହି ମାମଲା ସଂସଦରେ ଆଲୋଚନା କରିବା ଲାଗି ଅନୁମତି ଦେଉନାହାନ୍ତି।
କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସଂଦରେ କଂଗ୍ରେସ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବାକୁ ପ୍ରସ୍ତୁତ ଅଛି। କିନ୍ତୁ, ପ୍ରାଥମିକତା ହେଉଛି ଆଦାନି ମାମଲା ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର। ଏହି ମାମଲା ଉତ୍ଥାପନ ଓ ଆଲୋଚନା ହେଉ ବୋଲି ସରକାର ଚାହାଁନ୍ତିନାହିଁ। ଏହାକୁ ରେକର୍ଡ ନ କରାଇ ଦେଇ କୌଣସିମତେ ଏଡ଼ାଇ ଦେବାକୁ ସେମାନେ ଆଗ୍ରହୀ।